ଭାରତରେ ଲଞ୍ଚ ହେଲା ୭୫ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ଲଞ୍ଚ ହେଲା ୭୫ ଟଙ୍କିଆ ମୁଦ୍ରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖାଦ୍ୟ ଓ କୃଷି ସଂଗଠନ (FAO)ର ୭୫ତମ ବାର୍ଷିକୀ ଅବସରରେ ୭୫ ଟଙ୍କିଆ ମୁଦ୍ରା ଲଞ୍ଚ୍ କରିଛନ୍ତି।

ସାରା ଦୁନିଆ FAOର ବାର୍ଷିକୀ ପାଳନ କରୁଛି । ଏହା ପୂର୍ବରୁ ଅକ୍ଟୋବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ବିଜୟରାଜେ ସିନ୍ଧିଆଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରାର ଉନ୍ମୋଚନ ହୋଇଥିଲା ଏବଂ ଆଜି ୭୫ ଟଙ୍କିଆ ମୁଦ୍ରା ଲଞ୍ଚ ହୋଇଛି। ଏହି ଅବସରରେ କୁପୋଷଣ ଓ ଖାଦ୍ୟାଭାବ ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଛନ୍ତି।

ମୋଦି କହିଛନ୍ତି, “କରୋନା ମହାମାରୀ ସମୟରେ ଗତ ୭-୮ ମାସ ଭିତରେ ଭାରତରେ ପ୍ରାୟ ୮୦ କୋଟି ଗରିବଙ୍କୁ ମାଗଣାରେ ରାସନ୍ ଯୋଗାଇ ଦିଆଯାଇଛି। ଏପରିକି ଏହା ମଧ୍ୟରେ ଭାରତରେ ପ୍ରାୟ ଦେଢ଼ କୋଟି ଲକ୍ଷ ଟଙ୍କାର ଖାଦ୍ୟ ଗରିବଙ୍କୁ ମାଗଣାରେ ବଣ୍ଟନ କରାଯାଇଛି” । ସେ ଆହୁରି ମଧ୍ଯ କହିଛନ୍ତି ଯେ, ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଦେଶର ୨୮ ଟି ରାଜ୍ୟ ଏବଂ ୭ ଟି କେନ୍ଦ୍ର ଶାସିତ ଅଞ୍ଚଳରେ ‘ୱାନ ନେସନ୍ ୱାନ୍ ରେସନ କାର୍ଡ’ ବ୍ୟବସ୍ଥା ଲାଗୁ ହୋଇଛି। ସମ୍ପ୍ରତି ୩ଟି ପ୍ରମୁଖ କୃଷି ସଂସ୍କାର ହୋଇଛି, ଯାହା ଦେଶର କୃଷି କ୍ଷେତ୍ରର ଉନ୍ନତି ତଥା କୃଷକଙ୍କ ଆୟ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିଛି ।

ସେହିପରି ବର୍ଷ ବର୍ଷ ଧରି ଦେଶରେ ଉନ୍ନତ ମଞ୍ଜି ଗବେଷଣା ଏବଂ ବିକାଶରେ ଯଥେଷ୍ଟ କାର୍ଯ୍ୟ କରାଯାଇଛି। ୨୦୧୪ ପୂର୍ବରୁ, ଯେଉଁଠାରେ କେବଳ ଗୋଟିଏ ପ୍ରକାର ଉତ୍ପାଦ ଚାଷୀଙ୍କ ନିକଟରେ ପହଞ୍ଚିଥିଲା ​। ଆଜି ବିଭିନ୍ନ ଫସଲର ୭୦ ଟି ବାୟୋଫୋର୍ଟିଫାଇଡ୍ କିସମ ଚାଷୀଙ୍କ ପାଇଁ ଉପଲବ୍ଧ ରହିଛି। କାରଣ ଯେତେବେଳେ ଭାରତର କୃଷକ ଶକ୍ତିଶାଳୀ ହେବେ, ତାଙ୍କର ଆୟ ବୃଦ୍ଧି ପାଇବ, ପୁଷ୍ଟିହୀନତା ବିରୋଧରେ ଅଭିଯାନ ଜୋର୍ ହେବ। ମୁଁ ନିଶ୍ଚିତ ଯେ ଭାରତ ଏବଂ FAO ମଧ୍ୟରେ ବଢୁଥିବା ସମନ୍ୱୟ ଏହି ଅଭିଯାନକୁ ଅଧିକ ଉତ୍ସାହିତ କରିପାରିବ।

ସେହିପରି ଭାରତରେ ଶସ୍ୟ ଅପଚୟ ସର୍ବଦା ଏକ ପ୍ରମୁଖ ସମସ୍ୟା ହୋଇଆସୁଛି। ବର୍ତ୍ତମାନ ଜରୁରୀ ଦ୍ରବ୍ୟ ଅଧିନିୟମରେ ସଂଶୋଧନ କରାଯାଇଥିବାରୁ ଏହା ସ୍ଥିତିକୁ ବଦଳାଇ ଦେବ। କୃଷି ଠାରୁ ଆରମ୍ଭ କରି କୃଷକଙ୍କୁ ସଶକ୍ତ କରିବା ଏବଂ ଭାରତର ସାର୍ବଜନୀନ ବିତରଣ ପ୍ରଣାଳୀ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ଉନ୍ନତ ହେବାରେ ଲାଗିଛି ।

ସବୁଠାରୁ ବଡ଼ କଥା ହେଲା କରୋନା କାରଣରୁ ସମଗ୍ର ବିଶ୍ୱ ସଙ୍କଟରେ ଗତି କରୁଥିବାବେଳେ ଭାରତର କୃଷକମାନେ ଏଥର ମଧ୍ୟ ଗତ ବର୍ଷ ଉତ୍ପାଦନର ରେକର୍ଡ ଭାଙ୍ଗିଛନ୍ତି? ଗହମ, ଧାନ ଏବଂ ଡାଲି ପରି ସମସ୍ତ ପ୍ରକାରର ଖାଦ୍ୟ ଶସ୍ୟ କ୍ରୟ କରିବାରେ ସରକାର ଏହାର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭାରତର କୃଷକ ଓ କୃଷି ବୈଜ୍ଞାନିକ, ଅଙ୍ଗନୱାଡ଼ି ଏବଂ ଆଶାକର୍ମୀ କୁପୋଷଣ ବିରୋଧରେ ଆନ୍ଦୋଳନକୁ ଆହୁରି ମଜଭୁତ୍ କରିଛନ୍ତି। ଏମାନେ ନିଜ ପରିଶ୍ରମ ଦ୍ୱାରା ଦେଶରେ ଅନ୍ନ ଭଣ୍ଡାରକୁ ଭରିଛନ୍ତି। ଅନ୍ୟପଟେ ଦୂରଦୂରାନ୍ତରେ ଥିବା ଗରିବଙ୍କ ପାଖରେ ପହଞ୍ଚିବା ପାଇଁ ସରକାରଙ୍କ ମଧ୍ୟ ବହୁତ ସହାୟତା କରିଛନ୍ତି।
ଅନ୍ୟପଟେ ଭାରତରେ ପୁଷ୍ଟିକର ଅଭିଯାନକୁ ମଜବୁତ କରିଥିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଜି ନିଆଯାଇଛି। ଆଜି ଗହମ ଏବଂ ଧାନ ସମେତ ଅନେକ ଫସଲର ୧୭ ଟି ନୂତନ ମଞ୍ଜି ଦେଶର କୃଷକମାନଙ୍କ ପାଇଁ ଉପଲବ୍ଧ ହେଉଛି। ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଘୋଷଣା କରିବାକୁ ପ୍ରସ୍ତାବ ପଛରେ ମଧ୍ୟ ସମାନ ଭାବନା ରହିଛି। ଏହା କେବଳ ଭାରତ ନୁହେଁ ବିଶ୍ୱକୁ ଦୁଇଟି ବଡ଼ ଲାଭ ପ୍ରଦାନ କରିବ । ଗୋଟିଏ, ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଉତ୍ସାହିତ କରିବ, ସେମାନଙ୍କର ଉପଲବ୍ଧତା ଆହୁରି ବୃଦ୍ଧି ପାଇବ। ଦ୍ୱିତୀୟତଃ ଯେଉଁ ମାନଙ୍କର କମ୍ ଜମି ରହିଛି, ସେମାନେ ବହୁତ ଉପକୃତ ହେବେ।

ଏହି ସଂକ୍ରାନ୍ତରେ ମୋଦୀ କହିଛନ୍ତି ଯେ, ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିବାରୁ ମୁଁ ଆଜି FAO କୁ ମୋର ବିଶେଷ ଧନ୍ୟବାଦ ଜଣାଉଛି।
ପୁଷ୍ଟିହୀନତାର ମୁକାବିଲା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଛି। ବର୍ତ୍ତମାନ ଦେଶରେ ଏପରି ଫସଲକୁ ପ୍ରୋତ୍ସାହନ ଦିଆଯାଉଛି ଯେଉଁଥିରେ ପ୍ରୋଟିନ୍, ଆଇରନ୍, ଜିଙ୍କ୍ ଇତ୍ୟାଦି ପୁଷ୍ଟିକର ପଦାର୍ଥ ଅଧିକ ପରିମାଣରେ ରହିଛି। ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରୁଥିବା FAO ର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଧ୍ୟ ଏକ ପ୍ରମୁଖ ସଫଳତା। ଭାରତ ଖୁସି ଯେ ଆମର ସହଭାଗୀତା ଏବଂ ଏଥିରେ ଆମର ଯୋଗଦାନ ମଧ୍ୟ ଐତିହାସିକ ହୋଇଛି।