ପିଲାଙ୍କ ପାଇଁ ସୁବିଧା, କମିଲା ୩୦% ସିଲାବସ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ସ୍କୁଲରେ ତାଲା ଝୁଲୁଛି, ପିଲାଏ ସବୁ ନିଜ ନିଜ ଘରେ। କେବଳ ଅନଲାଇନରେ ଯାହା କିଛି ପାଠ ପଢ଼ା ଚାଲିଛି। କରୋନା ମହାମାରୀ ଯୋଗୁଁ ସ୍କୁଲରେ କ୍ଲାସ କରିବା ଏକପ୍ରକାର ଅସମ୍ଭବ। ଇତିମଧ୍ୟରେ ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ବୋଝ କମାଇବା ଲାଗି ପଢ଼ା ସିଲାବସକୁ ୩୦ ପ୍ରତିଶତ କମାଇବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।

ଏନେଇ ବୁଧବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସଂଶୋଧିତ ସିଲାବସ୍ SCERT, BSE ଓ CHSE ୱେବସାଇଟରେ ଉପଲବ୍ଧ ହେବ। ମନ୍ତ୍ରୀଙ୍କ କହିବା ମୁତାବକ ସିଲାବସ ସମ୍ପର୍କରେ ଆଲୋଚନା ଲାଗି ବିଭାଗ ପକ୍ଷରୁ ତିନୋଟି ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା। ଏହି ତିନି କମିଟିର ରିପୋର୍ଟକୁ ଆଧାର କରି ଶିକ୍ଷାବର୍ଷର ସିଲାବସ୍ ୩୦% ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସିଲାବସ୍ କମାଯିବ।