କୁଆପଥର ବର୍ଷା ପାଇଁ ୯ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଓ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଏଥିପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ପଶ୍ଚିମା-ଝଡ଼ର ପ୍ରଭାବ ଅଧିକ ରହିବ। ଏହାରି ପ୍ରଭାବରେ ୯ ଜିଲ୍ଲାରେ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବୋହିବ। କୁଆପଥର ମାଡ଼ ହେବା ସହ ବିଜୁଳି ମଧ୍ୟ ମାରିବ। ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର  ଓ ପୁରୀ। ତେବେ କଟକ, ଯାଜପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପରିମାଣ ୭ରୁ ୧୧ ସେମି ରହିବାର ସମ୍ଭାବନା ରହିଛି।