ପାଳଚୁଂଟା ମୁଖ୍ୟମନ୍ତ୍ରୀଙ୍କ କାନରେ ପଡୁନି କୋଇଡ଼ା ଚିକ୍ରାର

ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ ଅଧିକାରୀଙ୍କ ବିରୋଧରେ ….

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ ଅଧିକାରୀଙ୍କ ବିରୋଧରେ ଜନତାଙ୍କ ସ୍ୱର କ୍ରମେ ତୀବ୍ର ହେବାକୁ ଲାଗିଛି । ସିପିଆଇଏମ୍‌ ପକ୍ଷରୁ ଅର୍ଥନୈତିକ ଅବରୋଧ ଜାରି ରହିଛି । ଫଳରେ ଖଣିଖାଦାନରେ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଶାସକ ବିଜେଡି ଏହାକୁ ସେତେଟା ଗୁରୁତ୍ୱ ଦେଉନାହିଁ କିନ୍ତୁ ଆଗାମୀ ଦିନରେ ଏହି ଆନ୍ଦୋଳନ ଦଳର ପତିଆରାକୁ କ୍ଷୁର୍ଣ୍ଣ କରିପାରେ । କୋଇଡା ବ୍ଲକ ଅଧିକାରୀଙ୍କ ମନମାନି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ୧୫ଟି ଗ୍ରାମର ଜନତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତା’ର ପ୍ରଭାବ ପଡ଼ି ନଥିବା ଜଣାପଡେ଼ । ସାଢେ଼ ତିନିବର୍ଷ ଧରି ବିଡିଓ ପଦବୀରେ ରହିଥିଲେ ମଧ୍ୟ କୌଣସି ପଂଚାୟତରେ ଆଖିଦୃଶିଆ ବିକାଶ ହୋଇ ନଥିବା ଅଭିଯୋଗ କରିଛନ୍ତି ସାଧାରଣ ଜନତା ।

ତୃତୀୟ ମହଲାରୁ ଅଭୟ ପାଇ ସଂପୃକ୍ତ ବିଡିଓ ଲୋକଙ୍କ ଅଭିଯୋଗକୁ ଅଣଦେଖା କରୁଛନ୍ତି ବୋଲି ଶୁଣିବାକୁ ମିଳେ । ଦୀର୍ଘ ୮ ଦିନ ହେଲା ଲୋକମାନେ ରାଜରାସ୍ତାରେ ଚିକ୍ରାର କରୁଛନ୍ତି; ମାତ୍ର ଜିଲ୍ଲା ପ୍ରଶାସନ ସେଥିପ୍ରତି ଭ୍ରୁକ୍ଷେପ କରୁନାହିଁ । ବର୍ତମାନ କାର୍ଯ୍ୟରତ ବିଡିଓଙ୍କୁ ଅନ୍ୟତ୍ର ବଦଳି କରା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସିପିଆଇଏମ ପକ୍ଷରୁ ଚେତାବନୀ ଦିଆଯାଇଛି ।

ତେବେ କଥା ହେଉଛି, ଯଦି ରାଜନୈତିକ ଅଭିସନ୍ଧି ରଖି ସିପିଆଇଏମ୍‌ ପକ୍ଷରୁ ଏଭଳି ଦାବି ଉପସ୍ଥାପନ କରାଯାଉଛି; ତେବେ ସିପିଆଇଏମର ଅସଲ ମୁଖାକୁ ସାଧାରଣରେ ଖୋଲି ଦିଆଯିବା ଦରକାର । କ୍ଷମତାସୀନ ସରକାର ନିରବରେ ବସିଯିବା ଅର୍ଥ ବିଡିଓଙ୍କ ଅନିୟମିତତା କାର୍ଯ୍ୟ ସଂପର୍କରେ ତୃତୀୟ ମହଲା ଅବଗତ ଅଛି ବୋଲି ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି ।

ବନ୍ଦ କାରଣରୁ ସମସ୍ତ ଖଣିଜ ପରିବହନ, ରାଜରାସ୍ତା, ଜାତୀୟ ରାଜପଥ, ସରକାରୀ କାର୍ଯ୍ୟାଳୟ, ଚାରିଟି ରେଳସାଇଡିଂ ସମେତ କୋଇଡା ବ୍ଲକ ମୁଖ୍ୟ ଖଣି ପରିବହନ ଛକ ଯଥା ରେଲାଲବେଡା, କାଶୀରା, କୋଇଡା, ନାରାୟଣପୋଷ, କାଲଟା, ତୋଡ଼ା, ଜାମୁଡିହି, ରକ୍ସି, କେ ବଲାଙ୍ଗ, ବିମଳାଗଡ଼, ଗୋପନା ପ୍ରମୁଖ ଛକରେ ସିପିଆଇଏମ୍‌ କର୍ମୀମାନେ ପୋଷ୍ଟର, ବ୍ୟାନର ଓ ଦଳୀୟ ପତାକା ଧରି ବସିଥିଲେ । ଫଳରେ ହଜାର ହଜାର ଟ୍ରକ ଓ ଟିପର ରାସ୍ତାକଡ଼ରେ ଠିଆ ହୋଇ ରହିଥିଲା । ପାଳଚୁଂଟା ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ବଳରେ କୋଇଡା ବିଡିଓ ଏତେ ଶକ୍ତିଶାଳୀ ହୋଇଯାଇଛନ୍ତି ଯେ ତାଙ୍କ ନିକଟରେ କୋଇଡା ଜନତା ମଶାମାଛି ଭଳି ଦିଶୁଛନ୍ତି । ଅନ୍ୟପକ୍ଷରେ କୋଇଡା ବିଡିଓଙ୍କ ଉପରେ ପାଣ୍ଡିଆନଙ୍କ ଶୁଭଦୃଷ୍ଟି ରହିବା କାରଣରୁ ସେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ବୋଲି କୋଇଡ଼ା ଅଂଚଳରେ ଏକ ମାହୋଲ ସୃଷ୍ଟି ହୋଇଛି ।