ଶଶୁର ଘର ବୁଲୁଛନ୍ତି ପାଣ୍ଡିଆନ: ଫୁଲତୋଡ଼ା ଦେଉଛନ୍ତି ସଳାସାଳୀ

ସାରା ଓଡ଼ିଶାକୁ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଶଶୁର ଘର ଭାବିଛନ୍ତି । ତେଣୁ ସବୁ ଜିଲ୍ଲାକୁ ଗସ୍ତ କରି ପ୍ରିୟ ସଳାସାଳୀଙ୍କର ଭଲମନ୍ଦ ବୁଝୁଛନ୍ତି । ବିଜେଡି ନେତା ଶ୍ୟାମାପ୍ରସାଦ ବେହେରା ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ସାରିବା ପରେ ଶ୍ୟାମାପ୍ରସାଦ ପାଣ୍ଡିଆନଙ୍କ ଦାଦାଗିରି ବିରୋଧରେ ପାଟି ଫିଟାଇଛନ୍ତି ।

ସେ କହିଛନ୍ତି, ବିଜେଡିର ସବୁ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କ ବୋଲକରା ହୋଇ ରହିବାକୁ ବାଧ୍ୟ । ବିଜେଡି ଆଉ ସ୍ୱଚ୍ଛ ହୋଇ ରହିନାହିଁ । ବିଜେଡି ଏବେ ଅପରାଧୀଙ୍କ ଦଳ ହୋଇଗଲାଣି । ବେକରେ ଶଙ୍ଖ ପତାକା ପକାଇ ବିଚ୍‌ ବଜାରରେ ଗୁଣ୍ଡାଗିରି କଲେ ପୁଲିସ ଜାଣିଶୁଣି ନିରବ ରହୁଛି । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ରାଜ୍ୟର ପୁଲିସ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀମାନେ ଉଠବସ ହେଉଛନ୍ତି।

ବାଲେଶ୍ୱରରେ ଶ୍ୟାମାପ୍ରସାଦ କହିଛନ୍ତି, ବିଜୁ ପଟ୍ଟନାୟକଙ୍କର ମାଡ଼ ପରମ୍ପରା ପୁଣି ଥରେ ଦରକାର ପଡୁଛି । ସାଢେ଼ ଚାରିକୋଟି ଜନତାଙ୍କୁ ଭକୁଆ କରି ରାଜକୋଷକୁ ଦୁଇହାତରେ ଲୁଟୁଛନ୍ତି ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଗୋବର ଛଡ଼ା ଆଉ କିଛି ନାହିଁ। ତେଣୁ ପାଣ୍ଡିଆନଙ୍କ କଥାକୁ ମାନିବା ଛଡ଼ା ତାଙ୍କ ନିକଟରେ ଆଉ କିଛି ବିକଳ୍ପ ନାହିଁ।

ବିଜେଡିର ସବୁ ବିଧାୟକ ଓ ସାଂସଦଙ୍କର ଅପରାଧ ଚିଠା ପାଣ୍ଡିଆନଙ୍କ ପାଖରେ ମହଜୁଦ ରହିଛି। ଯୋଉ ବିଧାୟକ ବା ସାଂସଦ ତାଙ୍କ ବିରୋଧରେ ପାଟି ଖୋଲିବ, ସେ ତା’ର ରାଜନୈତିକ କ୍ୟାରିୟର ନଷ୍ଟ କରିଦେବେ।

ପତ୍ନୀ ସୁଜାତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଚକ୍କରରେ ପାଣ୍ଡିଆନ ଏବେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରୁଛନ୍ତି । ମଂଚ ଉପରେ ନବୀନଙ୍କ ଭାଷଣକୁ ଶୁଣାଉଛନ୍ତି । ଜଣେ ଆଇଏଏସ୍‌ ଅଧିକାରୀ ନିକଟରେ ଗୋଡ଼ ଭାଙ୍ଗି ଠିଆ ହେଉଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ।