ନିର୍ବାଚନ ଫଳାଫଳ ପରଠୁ ମିଳୁନି ପାଣ୍ଡିଆନଙ୍କ ଦେଖାଦର୍ଶନ

କୁଆଡେ ଗଲେ ଭିକେ ପାଣ୍ଡିଆନ । ନିର୍ବାଚନ ଫଳାଫଳ ପରଠୁ ମିଳୁନି ଦେଖାଦର୍ଶନ । ନା ବୁଧବାର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବେଳେ ନବୀନ ପଟ୍ଟନାୟକଙ୍କ ସାଥିରେ ଥିଲେ ନା ନବୀନ ନିବାସରେ ବସିଥିବା ବିଧାୟକ ଦଳ ବୈଠକରେ । ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାଏବ କାହିଁକି । ବିଜେଡିର ନେତା ନଥିଲେ କିନ୍ତୁ କିନ୍ତୁ ବିଜେଡିର ସର୍ବେସର୍ବା ବୋଲାଉଥିଲେ । ନିର୍ବାଚନ ପ୍ରଚାର ବେଳେ ସବୁଠି ସେ ହିଁ ପ୍ରଚାର କରୁଥିଲେ । କିନ୍ତୁ ଏବେ ଆଉ ଦେଖା ଯାଉନାହାନ୍ତି । ଗତକାଲି ନବୀନ ନିବାସରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । ସେଥିରେ କିନ୍ତୁ ଯୋଗ ଦେଇନଥିଲେ ପାଣ୍ଡିଆନ । ପାଣ୍ଡିଆନଙ୍କ ବିନା ବସିଥିଲା ବୈଠକ ।

ନବୀନ ନିବାସରେ ବିଜେଡିର ବିଧାୟକମାନେ ଏକାଠି ହେଲେ। ପରସ୍ପର ଭିତରେ ଘଣ୍ଟାଏ ଆଲୋଚନା କଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କ ସହ ସିଧାସଳଖ କଥା ହେଲେ। କିନ୍ତୁ ପାଞ୍ଚ ବର୍ଷ ହେଲା ଜାରି ରହିଥିବା ଏକ ଧାରା ଆଜି ଭାଙ୍ଗି ଯାଇଥିଲା। ସେଠାରେ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନ ନଥିଲେ କି ନବୀନଙ୍କ ନାଁ ନେଇ ବିଧାୟକମାନଙ୍କୁ ଟ୍ୟୁସନ୍ କରୁ ନଥିଲେ। ଏହି ଘଟଣାଟି ଦଳ ଭିତରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ବିଜୟୀ ହୋଇଥିବା ସମସ୍ତ ବିଧାୟକଙ୍କ ମଧ୍ୟରୁ ୫/୬ ଜଣ ବିଧାୟକ ଅନୁପସ୍ଥିତ ଥିଲେ। ନିଜେ ନବୀନ ପଟ୍ଟନାୟକ ବିଧାୟକମାନଙ୍କ ସହ ଅନୌପଚାରିକ ବୈଠକ କରିଥିଲେ। ବିଧାୟକମାନଙ୍କୁ ବୁଝାଇଥିଲେ, ରାଜନୀତିରେ ହାର୍‌ଜିତ୍ ଲାଗି ରହେ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। କ୍ଷମତା ନଥିଲେ ବି ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ସେବା ଜାରି ରଖିବ। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଓଡ଼ିଶାରେ ୭୦ ପ୍ରତିଶତ ଗରିବୀ ରହିଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୦ ପ୍ରତିଶତ ଗରିବୀ ରହିଛି। ଶିକ୍ଷା କ୍ଷେତ୍ର ହେଉ କି ମହିଳାଙ୍କ କଥା, ସବୁଠି ଆମେ ସେମାନଙ୍କୁ ଆଗକୁ ନେଇଛୁ। ଓଡ଼ିଶା ଲୋକଙ୍କ ପାଇଁ ପରିଶ୍ରମ କରିଛୁ, ଆଉ ଆଗକୁ ମଧ୍ୟ କରିବୁ। ଓଡ଼ିଶାବାସୀଙ୍କ ସାଙ୍ଗରେ ରହିଛୁ, ଆଉ ସବୁ ସମୟରେ ଆମେ ରହିଥିବୁ। ତେଣୁ ବିଧାୟକମାନେ ଦଳର ସାଂଗଠନିକ କାର୍ୟ୍ୟ ସହ ଲୋକଙ୍କ ସେବା କରିବାକୁ ସେ ପରାମର୍ଶ ଦେଇଥିଲେ।