BJDରେ ସବୁ ନିରବ: କୁଆଡ଼େ ଗଲେ ବିଜେଡିର ରଣନୀତିକାର ଭିକେ ପାଣ୍ଡିଆନ?

VK Pandian: ୨୦୨୪ ନିର୍ବାଚନ ପାଇଁ ମେ ୩୦ ତାରିଖ ପ୍ରଚାରର ଶେଷ ଦିନ ଥିଲା । ଶେଷ ଥର ପାଇଁ ସେଇଦିନ ଉପକୂଳ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ । ଏହା ପରେ ଜୁନ୍ ୩ ତାରିଖରେ ଟୁଇଟ୍ କରିଥିଲେ ଏବଂ ଏକଜିଟ୍ ପୋଲ୍ ଭୁଲ୍ ହେବ ଏବଂ ଦଳ ଜିତିବ ବୋଲି କହିଥିଲେ । ତାପରେ ଜୁନ୍ ୪ ତାରିଖରେ ଆସିଲା ନିର୍ବାଚନ ଫଳାଫଳ ଏବଂ ବିଜେଡିର ବଡ଼ ଧରଣର ବିପର୍ଯ୍ୟୟ ଘଟିଲା । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ସ୍ପଷ୍ଟ ହେଲା ।

କୁଆଡ଼େ ଗଲେ ବିଜେଡିର ରଣନୀତିକାର ଭିକେ ପାଣ୍ଡିଆନ? ସାମ୍ନାକୁ ଆସି ନବ ନିର୍ବାଚିତ ବିଧାୟକ ଓ ପରାଜିତ ନେତାଙ୍କୁ ବଡ ସାହସ ଦେଲେ ନବୀନ । କହିଲେ- ଓଡ଼ିଶା ପାଇଁ ୨୪ ବର୍ଷ ହେଲା କାମ କରିଛେ, ଆଗକୁ ବି କାମ ଜାରିରହିବ। କିନ୍ତୁ ବିଜେଡିର ବିରାଟ ବିପର୍ଯ୍ୟୟ ପଛରେ ଦାୟୀ କରାଯାଉଥିବା ଭିକେ ପାଣ୍ଡିଆନ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ ? ନବୀନ ନିବାସରେ ବିଧାୟକଙ୍କ ବୈଠକରେ ପାଣ୍ଡିଆନ ନ ଥିଲେ । ପାଣ୍ଡିଆନଙ୍କ ଏହି ଅନୁପସ୍ଥିତି କଣ ସଙ୍କେତ ଦେଉଛି । ପାଣ୍ଡିଆନଙ୍କୁ ନେଇ ବିଜେଡି କଣ ଚିନ୍ତା କରୁଛି ଅବା ପାଣ୍ଡିଆନ ନିଜ ରାଜନୈତିକ ଭବିଷ୍ୟତ ପାଇଁ କି ପନ୍ଥା ନେବାକୁ ଯାଉଛନ୍ତି, ତାକୁ ନେଇ ଲାଗି ରହିଛି ସସପେନ୍ସ !

ଗତ ୨୫ ବର୍ଷର ରାଜନୈତିକ ଇତିହାସରେ ଓଡ଼ିଶାରେ ଏଭଳି ଏକ ସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା । କେହି କେବେ ଆକଳନ କରି ନ ଥିଲେ, ନବୀନ ପଟ୍ଟନାୟକ ସରକାରର ଏତେ ବଡ଼ ପରାଜୟ ଘଟିବ ଆଉ ଓଡ଼ିଶା ରାଜନୀତି ପୂରା କଡ଼ ଲେଉଟାଇ ଦେବ । ଏହି ରାଜନୈତିକ ଘଟଣାର ସବୁଠାରୁ ବଡ଼ ଚର୍ଚ୍ଚିତ ବ୍ୟକ୍ତି ହୋଇଛନ୍ତି ଭିକେ ପାଣ୍ଡିଆନ । କାରଣ ପାଣ୍ଡିଆନ ନିଜେ ବିଜେଡି ପ୍ରଚାରର ମଙ୍ଗ ଧରିଥିଲେ ଏବଂ ଏହି ନିର୍ବାଚନରେ ବିଜେଡିର ସବୁଠାରୁ ବଡ଼ ପରାଜୟ ଘଟିଲା । ଏବେ ସମସ୍ତଙ୍କ ନଜର ଭିକେ ପାଣ୍ଡିଆନଙ୍କ ଉପରେ । ପ୍ରଶାସକରୁ ରାଜନେତା ପାଲଟିଥିବା ପାଣ୍ଡିଆନଙ୍କ ଆଗାମୀ ପଦକ୍ଷେପ କଣ ହେଉଛି, ତାକୁ ନେଇ ସସପେନ୍ସ ରହିଛି !