ପିପିଲି ଉପନିର୍ବାଚନ ସେପ୍ଟେମ୍ବର ୩୦ରେ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ । ଅକ୍ଟୋବର ୩ରେ ଭୋଟ୍ ଗଣତି କରାଯିବ । ପିପିଲି ଉପନିର୍ବାଚନ ପାଇଁ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ ସରିଥିବାରୁ ଏବେ କ୍ୟାମ୍ପେନ ପରେ ଭୋଟିଂ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ଉଲ୍ଲେଖଥାଉକି, ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଅଛି । ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ହେଲେ କଂଗ୍ରେସ ପାର୍ଥି ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପୁଣି ନିର୍ବାଚନ ଘୁଞ୍ଚି ଯାଇଥିଲା । ଇତି ମଧ୍ୟରେ କରୋନା ମହାମାରୀ ରାଜ୍ୟରେ ସ୍ଥିତି ବିଗାଡି ଦେଇଥିବାରୁ, ଏହାକୁ ଦୃଷ୍ଟିରେ ରଖି ସରକାର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ ।

ସୂଚନା ଥାଉକି, ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ। ସହ ପ୍ରଚାର ପାଇଁ ଆବଦ୍ଧ ଗୃହ କ୍ଷମତାର ୩୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକ ସାମିଲ୍ ହୋଇପାରିବେ । ଆଉଟ ଡୋର୍ କ୍ୟାମ୍ପେନ ବେଳେ ଷ୍ଟାର କ୍ୟାମ୍ପେନର ଥିଲେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ । ଷ୍ଟାର କ୍ୟାମ୍ପେନରଙ୍କ ବ୍ୟତୀତ ଅନ୍ୟ କେହି ପ୍ରଚାର କରୁଥିଲେ ସର୍ବାଧିକ ୫୦୦ ଲୋକ ଭାଗ ନେଇ ପାରିବେ । ଏଥିପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ପ୍ରଚାର ପଡ଼ିଆକୁ ବ୍ୟାରିକେଡିଂ କରାଯିବ ।

ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ । କୋଭିଡ୍ ଯୋଗୁଁ ଷ୍ଟାର କ୍ୟାମ୍ପେନର ସଂଖ୍ୟା ସୀମିତ କରାଯାଇଛି । କୌଣସି ରୋଡ୍ ଶୋ କିମ୍ବା ବାଇକ୍ ରାଲି ହୋଇପାରିବ ନାହିଁ । ଭୋଟ୍ ଗ୍ରହଣର ୩ ଦିନ ପୂର୍ବରୁ ପ୍ରଚାର ବନ୍ଦ ହେବ । ୩୦ ତାରିଖରେ ଭୋଟ୍ ଥିବାରୁ ୨୭ ତାରିଖ ସନ୍ଧ୍ୟା ୬ଟାରୁ ପ୍ରଚାର ବନ୍ଦ ହେବ । କୌଣସି ଦଳ କିମ୍ବା ପ୍ରାର୍ଥୀ କୋଭିଡ୍ ନିୟମ ଉଲ୍ଲଂଘନ କଲେ ରାଲି ଓ ବୈଠକ ପାଇଁ ମିଳିଥିବା ପୂର୍ବ ଅନୁମତି ପ୍ରତ୍ୟାହାର କରି ନିଆଯିବ ।