ଅବପାତର ରୂପ ନେଲା ଲଘୁଚାପ: ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ….

ଭୁବନେଶ୍ୱର: ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଉତ୍ତରପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୬ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ଦେଇ କରିବ ଅତିକ୍ରମ । ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି କରିବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଦେଇ ଯିବ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛିତଶଗଡ଼କୁ ଗତି କରି ଦୁର୍ବଳ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।

ଲଘୁଚାପ ପ୍ରଭାବରେ ଗୁରୁବାର ରାତିରୁ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷା ଆରମ୍ଭ ହୋଇଛି । ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର ବର୍ଷାର ପରିମାଣ ବଢିବ । ସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହି ସମୟରେ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

୧୯ ତାରିଖରେ ଛତିଶଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି । ୨୦ ତାରିଖ ଦୁଇଦିନ ଧରି ହେବାକୁ ଥିବା ବର୍ଷାର ପ୍ରଭାବ ନଦୀଗୁଡ଼ିକ ଉପରେ ପଡ଼ିବାକୁ ଥିବାରୁ ଆଉଥରେ ବନ୍ୟାସ୍ଥିତି ସୃଷ୍ଟି ହୋଇପାରେବୋଲି ଅନୁମାନ କରାଯାଉଛି । ଉପରମୁଣ୍ଡରେ ବର୍ଷା ଜାରି ରହିଲେ ମହାନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ସେହିପରି ଉତ୍ତର-ପଶ୍ଚିମ ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ।