ବିଶ୍ବ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଆଜି ଗୌଡୀୟ ମିଶନ ପ୍ରତିଷ୍ଠାତା ଶ୍ରୀଳ ଭକ୍ତିସିଦ୍ଧାନ୍ତ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଛନ୍ତି। ପୁରୀ ଚୈତନ୍ୟ ଗୌଡୀୟ ମଠକୁ ଯାଇ ଶ୍ରୀଳ ଭକ୍ତିସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତିରେ ଭକ୍ତିଅର୍ଘ୍ୟ ପ୍ରଦାନ କରିଛନ୍ତି। ପରେ ରାଷ୍ଟ୍ରପତି ଶରଧାବାଲିରେ ଅନୁଷ୍ଠିତ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି।

ସମ୍ମିଳନୀରେ ଶ୍ରୀ କୋବିନ୍ଦ କହିଛନ୍ତି, ଈଶ୍ୱରଙ୍କ କୃପାରୁ ସେ ଭାରତର ବିଭିନ୍ନ ଧାର୍ମିକସ୍ଥଳୀ ପରିଦର୍ଶନ କରିବା ସହ ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି। ସମସ୍ତ ସ୍ଥାନରେ ବିଭିନ୍ନ ଧାର୍ମିକ ଉପାୟ ଓ ବ୍ୟବସ୍ଥା ପ୍ରଚଳିତ ରହିଛି। ତେବେ ଏହି ଆସ୍ଥା ପଛରେ ଈଶ୍ୱର ଭକ୍ତି ସହ ମାନବ ସମାଜକୁ ଏକ ପରିବାର ରୂପେ ଗ୍ରହଣ କରି ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା।

ରାଷ୍ଟ୍ରପତି କହିଛନ୍ତି ଯେ ଧର୍ମକୁ ନେଇ ସମାଜକୁ ବିଭାଜନ କରାଯାଇ ପାରିବ ନାହିଁ। ସତ୍ୟକୁ ବାଣ୍ଟି ହେବନି କାରଣ ଗୋଟିଏ ସତ୍ୟତାକୁ ବିଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇ ପାରିବ ଓ ଋକବେଦରେ ଏ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ସତ୍ୟ ହିଁ ଏକ, ବିଦ୍ୱାନମାନେ ତାହାକୁ ବିଭିନ୍ନ ଉପାୟରେ ବ୍ୟାଖ୍ୟା କରିଥାନ୍ତି। ଶ୍ରୀ କୋବିନ୍ଦ କହିଛନ୍ତି ଯେ ଭାରତ ଭୂମି ଏଥିପାଇଁ ମହାନ ଯେ ଏଠାରେ ଅନେକ ସନ୍ଥ ଆମ୍ଭମାନଙ୍କୁ ନିଃସ୍ୱାର୍ଥ ଭାବେ ଉପାସନାର ମାର୍ଗ ଦେଖାଇଛନ୍ତି। ସେ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ କହିଛନ୍ତି ଯେ ତାଙ୍କୁ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଗ୍ରହଣ କରାଯାଇଛି।