ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀଚୈତନ୍ୟ ଗୌଡୀୟ ମଠ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ବର : ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି କୋବିନ୍ଦ ସ୍ବତନ୍ତ୍ର ବିମାନ ଯୋଗେ ୧୨ଟା୨୫ରେ ଦିଲ୍ଲୀରୁ ବାହାରିବେ। ଅପରାହ୍ନ ୨ଟା ୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ୨ଟା ୫୫ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ ।

ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ବହୁ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ରହିବେ । ପୁରୀରେ ୩ଟା୨୫ ମିନିଟ୍‌ରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର କାରକେଡ୍‌ରେ ଏକ ଘରୋଇ ହୋଟେଲକୁ ଯିବେ । ସେଠାରୁ ରାଷ୍ଟ୍ରପତି ୪ଟା ୫୫ରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିରରେ ୪୫ ମିନିଟ୍‌ ଅତିବାହିତ କରିବା ପରେ ୫ଟା ୪୫ରେ ହୋଟେଲକୁ ଫେରିବେ ରାଷ୍ଟ୍ରପତି । ହୋଟେଲରେ ରାତ୍ରିଯାପନ କରିବେ ।

ରାଷ୍ଟ୍ରପତି ୨୦ ତାରିଖ ସକାଳ ୧୦ଟା ୩୦ରେ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡୀୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ୧୦ଟା୫୦ରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ । ଏହାପରେ ଶରଧାବାଲିରୁ ପୁରୀ ହେଲିପ୍ୟାଡ୍‌ ଅଭିମୁଖେ ଦିନ ୧୨ଟା ୧୫ରେ ବାହାରିବେ । ୧୨ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ସ୍ବତନ୍ତ୍ର ବିମାନରେ ବିଶାଖାପାଟଣା ଯିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ । ସେପଟେ ଗୌଡୀୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ବଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ।