ରାତି ପାହିଲେ ଘୋଷଯାତ୍ରା, ପୁରୀରେ ୩୦ ଲକ୍ଷ ଶ୍ରଦ୍ଧାଳୁ ଆଶଙ୍କା

ପୁରୀ : ରଥ ପ୍ରସ୍ତୁତ । ପଥ ପ୍ରସ୍ତୁତ । ପ୍ରଶାସନ ପ୍ରସ୍ତୁତ । ତିନିଠାକୁର ପ୍ରସ୍ତୁତ । ଚଳଚଂଚଳ ହୋଇଛି ଶ୍ରୀକ୍ଷେତ୍ର । ରାଜ୍ୟ ଓ ରାଜ୍ୟବାହାରୁ ଶ୍ରଦ୍ଧାଳୁ ଆସି ପୁରୀରେ ଭିଡ଼ ଜମାଇଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ଆଶା, ମହାପ୍ରଭୁଙ୍କୁ ରଥ ଉପରେ ଦେଖିବେ । ମହାପାତକରୁ ମୁକୁଳିବେ । ଭକ୍ତିର ସହିତ ରଥ ଟାଣିବେ।

ମଙ୍ଗଳବାର ସକାଳ ସାଢେ଼ ୯ଟାରେ ତିନିଠାକୁରଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥ ଉପରେ ବିଜେ କରିବେ । ଦିନ ସାଢେ଼ ୧୨ଟା ସୁଦ୍ଧା ପହଣ୍ଡି ସରିବ । ଅପରାହ୍ଣ ଚାରିଟାରେ ଶ୍ରୀଗୁଣ୍ଡିଚା ଅଭିମୁଖେ ରଥ ଗଡ଼ିବା ଆରମ୍ଭ କରିବ।

ରଥଯାତ୍ରାକୁ ସଫଳତାର ସାରିବାକୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ହାତକୁ ନିଆଯାଇଛି । ବହୁ ସାମାଜିକ ସଂଗଠନ ରଥଯାତ୍ରାରେ ପ୍ରଶାସନକୁ ସହଯୋଗ କରୁଛନ୍ତି । ଏଥର ରଥଯାତ୍ରାରେ ପ୍ରାୟ ୩୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆଶଙ୍କା କରାଯାଉଛି।

ମନ୍ଦିର ପ୍ରଶାସନ ସୂଚନା ମୁତାବକ ରଥଯାତ୍ରା ପାଇଁ ନୀତି ଘୋଷଣା କରାଯାଇଛି । ମଙ୍ଗଳବାର ସକାଳ ୬ଟାରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି କରାଯିବ । ସାଢେ଼ ୬ଟାରେ ତଡ଼ପ ଲାଗି, ରୋଷହୋମ କରାଯିବ । ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢେ଼ ୭ଟାରେ ଦ୍ୱାରପାଳ ପୂଜା ଓ ବେଶ କରାଯିବ । ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ଖେଚୁଡ଼ି ଭୋଗ ସରିବ । ୯ଟା ୧୫ ମିନିଟରେ ମଙ୍ଗଳାର୍ପଣ କରାଯିବ।

ପହଣ୍ଡି ଶେଷ ହେଲାପରେ ସାଢେ଼ ୧୨ଟାରୁ ଅପରାହ୍ଣ ଗୋଟାଏ ଭିତରେ ଶ୍ରୀ ଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କୃଷ୍ଣ ବିଜେ, ସାଢେ଼ ଗୋଟାଏରୁ ସାଢେ଼ ଦୁଇଟା ଭିତରେ ଚିତାଲାଗି, ବେଶ ଶେଷ ହେବ । ସାଢେ଼ ଦୁଇଟାରୁ ସାଢେ଼ ତିନିଟା ଯାଏ ଛେରାପହଁରା, ୩ଟାରୁ ୪ଟା ଭିତରେ ଚାରମାଳ ଫିଟାଯିବ । ଘୋଡ଼ା ଯୋଚାଯିବ ଓ ସାରଥୀ ବସିବେ।