ଡକାୟତ ଟାଟା ପାୱାରକୁ ମିଳିବ ଓଇଆରସି ସୁରକ୍ଷା!

ଟାଟା ପାୱାରର ବିଜୁଳି ଉପଭୋକ୍ତା ଶୋଷଣ ନୀତିକୁ ବିଭିନ୍ନ ସ୍ତରରେ ତୀବ୍ର ସମାଲୋଚନା କରିବାରୁ ତାକୁ ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛି ଓଇଆରସି । ଟାଟା ପାୱାରର ପ୍ରତିଟି କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ ଓଇଆରସି ନିଷ୍ପତି ନେଇଛି । ଓଇଆରସିର ଏଭଳି ନିଷ୍ପତି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ ଅବା ଜନଅସନ୍ତୋଷରୁ ଟାଟା ପାୱାରକୁ ସୁରକ୍ଷା ଦେବା ପାଇଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଲୋକଙ୍କ ମନକୁ ବୁଝାଇବା ଭଳି ଓଇଆରସି ପକ୍ଷରୁ ଆଶ୍ୱାସନା ପ୍ରଦାନ କରାଯାଇଛି ବୋଲି ବହୁ ସାମାଜିକ ସଂଗଠନ ଅଭିଯୋଗ କରିଛନ୍ତି । ଗ୍ରୀଡକୋର ୫୧ ପ୍ରତିଶତ ଅଂଶୀଦାର ବୋଲାଉଥିବା ଟାଟା ପାୱାର ବାସ୍ତବରେ କେତେ କୋଟି ଟଙ୍କା ସରକାରୀ ତହବିଲରେ ଦାଖଲ କରିଛି; ତା’ର ସ୍ପଷ୍ଟ ଚିତ୍ର ଦେଉନାହାନ୍ତି ନବୀନ ସରକାର ।

କେବଳ ସେତିକି ନୁହେଁ, ରାଜ୍ୟର ସବୁ ବିଜୁଳି କାର୍ଯ୍ୟାଳୟ ଆଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫଳକ ଲଗାଯାଇଛି । ଉକ୍ତ ଫଳକରେ ବିଜୁଳି ଉପଭୋକ୍ତାଙ୍କୁ ମଧୁର ପରାମର୍ଶ ଦିଆଯାଇଛି । ମାତ୍ର ଟାଟା ପାୱାରର କର୍ତବ୍ୟ ସଂପର୍କରେ କୌଣସି ଫଳକ ଦେଖିବାକୁ ମିଳୁନି । ଟାଟା ପାୱାରର କୋଉ ଗଲତିକୁ ଧରା ପକାଇଲେ ବିଜୁଳି ଉପଭୋକ୍ତାଙ୍କୁ ପୁରସ୍କାର ମିଳିବ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୌଣସି ଫଳକ ନଥିବାରୁ କିଛି ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଟାଟା ପାୱାରର ଅଘୋଷିତ ବ୍ରାଣ୍ଡ ଆମ୍ବାସାଡ଼ର ବୋଲି କହିବା ଆରମ୍ଭ କରିଛନ୍ତି ।