ନବୀନଙ୍କ ମୁଣ୍ଡ ତଳକୁ କରିଦେଲେ ସମୀର

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟାହ୍ନ ଭୋଜନ ଟଙ୍କା ମାଗିଦେଲେ….

ଆମେ ଭାବୁଥିଲୁ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ନବୀନବାବୁଙ୍କର ଷୋଳଅଣା ଯୋଜନା । ହେଲେ ମନ୍ତ୍ରୀ ସମୀର ଦାଶଙ୍କ ଚିଠିରୁ ଜାଣିଲୁ ଯେ ପ୍ରଧାନମନ୍ତ୍ରୀଙ୍କ ପୋଷଣ ଯୋଜନା ବାବଦ ଅର୍ଥ ବ୍ୟବହାର କରାଯାଉଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ପୋଷଣ ଟଙ୍କା ପ୍ରଦାନ କରାଯାଉଛି । ରାଜ୍ୟ ସରକାର ବିଦ୍ୟାଳୟକୁ ଟଙ୍କା ଦେଉନାହାନ୍ତି, ତେଣୁ ପ୍ରଧାନଶିକ୍ଷକମାନେ ନିଜ ଦରମା ଅର୍ଥରେ ଅବା ଦୋକାନରୁ ବାକିରେ ସଉଦା ଆଣି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଟଙ୍କାରେ ହେଲିକପ୍ଟର ଚଢ଼ି ପାରୁଛନ୍ତି; କିନ୍ତୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ରାଜକୋଷରୁ ଟଙ୍କା ପଇଠ କରୁନାହାନ୍ତି ଯେ ବିଚରା ପ୍ରଧାନଶିକ୍ଷକଙ୍କୁ ଦୋକାନୀ ଆଗରେ ହାତ ପତାଇବାକୁ ପଡୁଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କେନ୍ଦ୍ରକୁ ଚିଠି ଲେଖି ବାକିଆ ଟଙ୍କା ଲୋଡ଼ିଛନ୍ତି ।

ଶହେ ଟଙ୍କାର ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ସରକାରଙ୍କ ଭାଗ ୬୦ ଟଙ୍କା ଥିଲାବେଳେ ରାଜ୍ୟ ସରକାରଙ୍କ ଭାଗ ୪୦ ଟଙ୍କା । ରାଜ୍ୟ ସରକାର ତାଙ୍କ ଭାଗ ଟଙ୍କା ଠିକ୍‌ ସମୟରେ ଦେଉଛନ୍ତି କି ନା’ ଆମେ ଜାଣୁନା । ମାତ୍ର କେନ୍ଦ୍ର ସରକାର ତାଙ୍କ ଭାଗ ଟଙ୍କା ଠିକ୍‌ ସମୟରେ ପଇଠ କରୁନାହାନ୍ତି ବୋଲି ସମୀର ଦାଶ ଅଭିଯୋଗ କରିଛନ୍ତି । କଥା କୁହାଳିଆ ପ୍ରଧାନମନ୍ତ୍ରୀ ମୋଦୀଜୀ ରାଜ୍ୟର ପିଲାଙ୍କୁ ଠିକ ସମୟରେ ପୋଷଣ ଟଙ୍କା ଦଉନାହାନ୍ତି । ବଡ଼ବଡ଼ କଥା କହି ଭୋଟରଙ୍କଠାରୁ ଭୋଟ ଭିକ୍ଷା କରୁଛନ୍ତି । ରାଜ୍ୟକୁ ଦଳଦଳ ନେତା ପଠାଇ ଦେଉଛନ୍ତି କୋଉ ଆଶାରେ । ପିଲାଙ୍କୁ ପୋଷଣ ଖାଦ୍ୟ ନଦେଇ ଭୋଟ ନେଇଯିବାକୁ ବସିଛନ୍ତି ମୋଦୀଜୀ ।