ଦୁର୍ଘଟଣାରେ ଅଧ୍ୟାପିକାଙ୍କ ଦେହାନ୍ତ

କଟକ(ଏସ୍ ନ୍ୟୁଜ): ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ନିଯୁକ୍ତ ଥିବା ବରିଷ୍ଠ ଅଧ୍ୟାପିକା ଡ଼. ସ୍ନେହଲତା ମହାପାତ୍ରଙ୍କର ଆଜି ଏକ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ ଯେ, ଶ୍ରୀମତୀ ମହାପାତ୍ର ଆଜି ନିଜ ବଡ଼ ପୁଅଙ୍କ ସହ ମୋଟରସାଇକେଲ ଯୋଗେ ନିଜ ପୈତୃକ ଗ୍ରାମକୁ ବାହାରିଥିଲେ। ବାଙ୍କୀରୁ କଟକ ରାସ୍ତାରେ ଯିବା ବେଳେ ଗୟଳବାଙ୍କ ଠାରେ ତାଙ୍କ ସହ ଦୁର୍ଘଟଣା ଘଟିଥିଲା। ବାଇକର ବେଗ ଅଧିକା ରହିଥିବା ହେତୁ ଏକ ହଂପ୍ସ ନିକଟରେ ସେ ଗାଡ଼ିରୁ ଖସି ପଡ଼ିଥିଲେ। ମୁଣ୍ଡ ପଛପଟୁ ମାଡ଼ ହୋଇ ପ୍ରବଳ ରକ୍ତଶ୍ରାବ ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

କ୍ଷତାକ୍ତ ଅବସ୍ଥାରେ ପ୍ରଥମେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ମୃତ୍ୟୁ ହୋଇସାରିଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ପରେ ତାଙ୍କର ମୃତଦେହ ବାଙ୍କୀ ଫେରାଇ ଅଣାଯାଇଛି। ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଛାତ୍ରଛାତ୍ରୀଙ୍କ ଗହଣରେ

ଏହି ବରିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁରେ ବାଙ୍କୀ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ମର୍ମାହତ ହୋଇଛନ୍ତି। ଶ୍ରୀମତି ବେଶ ଶାନ୍ତ ସ୍ୱଭାବର ଥିଲେ ଯାହାକି ତାଙ୍କୁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ କରିଥିଲା। ସେ ମାତ୍ର ୫୬ ବର୍ଷ ବୟସରେ ଏପରି ଅକସ୍ମାତ ଚାଲିଯିବେ ଏ କଥାକୁ କେହି ବିଶ୍ୱାସ କରିପାରୁନାହାନ୍ତି।

ଶ୍ରୀମତୀ ମହାପାତ୍ର ୧୯୯୨ ମସିହାରେ ବାଙ୍କୀ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲେ। ୨୦୨୪ରେ ତାଙ୍କର ଚାକିରୀ ଶେଷ ହୋଇଥାନ୍ତା। ତାଙ୍କ ସ୍ୱାମୀ ଶ୍ରୀ ସମୀର ମହାପାତ୍ର ମଧ୍ୟ ବାଙ୍କୀ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ ଅଧ୍ୟାପକ ଅଛନ୍ତି। ଉଭୟଙ୍କର ଦୁଇ ପୁଅ ଅଛନ୍ତି।