ଅନୁଭବ ଇସ୍ତଫା ଦିଅ: କଳିଙ୍ଗ ସେନା

ଭୁବନେଶ୍ୱର(ଏସ୍ ନ୍ୟୁଜ): ପତ୍ନୀ ବର୍ଷାଙ୍କୁ ନିର୍ଯ୍ୟାତନା ଅଭିଯୋଗ ଆସିବାପରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବିଜେଡି ସଭାପତି ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ ଓ ସେ ଲୋକସଭାରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଳିଙ୍ଗସେନା ।

ସେନାର କର୍ମକର୍ତ୍ତାମାନେ ଆଜି ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅନୁଭବଙ୍କ ପତ୍ନୀ ଅଦାଲତରେ ନିର୍ଯ୍ୟାତନାର ଯେଉଁସବୁ ଅଭିଯୋଗ ଆଣିଛନ୍ତି ତାହାପରେ ଅନୁଭବନ ଆଉ ଗୋଟିଏ ମୂହୂର୍ତ୍ତ ବି ସାଂସଦ ପଦରେ ରହିବା ଉଚିତ୍‍ ନୁହେଁ । ଏହାଦ୍ୱାରା କେବଳ ସାଂସଦ ନିଜେ ବଦନାମ ହୋଇନାହାନ୍ତି ଓଡିଶାର ମଧ୍ୟ ସମ୍ମାନହାନି ହୋଇଛି । କାରଣ ଏଭଳି ଜଣେ ପତ୍ନୀ ନିର୍ଯ୍ୟାତନାକାରୀ ଓ ମଦ୍ୟପ ଓଡିଶାକୁ ଦିଲ୍ଲୀରେ ପ୍ରତିନିଧିତ୍ୱ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

ମା’କୁ ସମ୍ମାନର କଥାକୁ ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପତ୍ନୀ ନିର୍ଯ୍ୟାତନାକାରୀ ଓ ମଦୁଆ ସାଂସଦଙ୍କୁ ଆଉ ନିଜ ଦଳରେ ରଖିବା ଉଚିତ୍‍ ନୁହେଁ । ଅତୀତରେ ବୋହୁ ନିର୍ଯ୍ୟାତନା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବିରୁଦ୍ଧରେ ବିଜେଡି କଠୋର ପଦକ୍ଷେପ ଗ୍ରହଣ କରିଥିବାର ନଜିର ରହିଛି । ତେଣୁ ଏବେ ଅନୁଭବଙ୍କ ବିରୁଦ୍ଧରେ ବିଜେଡି କି ପଦକ୍ଷେପ ନେଉଛି ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର ।

ଅତୀତରେ କଟକର ଜଣେ ସାମ୍ବାଦିକା ଅନୁଭବଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥଲେ ମଧ୍ୟ ସେତେବେଳେ ସରକାର ଓ ବିଜେଡି ନିରବ ରହିଲେ । ଏବେ କିନ୍ତୁ ଖୋଦ୍‍ ସାଂସଦଙ୍କ ପତ୍ନୀ ବର୍ଷା ଆଗକୁ ଆସି ଅନୁଭବଙ୍କ ମଦ୍ୟପାନ, ବାଡିଆପିଟା, ଗାଳିଗୁଲଜ ଭଳି ଚରିତ୍ରକୁ ପଦାକୁ ଆଣିଛନ୍ତି । ତେଣୁ କାଳ ବିଳମ୍ବ ନକରି ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଓଡିଶାକୁ ପ୍ରତିନିଧିତ୍ୱ କରୁଥିବା ଏଭଳି ଜଣେ ମଦୁଆ ଚରିତ୍ରକୁ ଦଳରୁ ବିଦା କରିବାକୁ କଳିଙ୍ଗସେନା ଦାବି କରିଛି । ଯଦି ବିଜେଡି ମଦୁଆ ଓ ପତ୍ନୀ ନିର୍ଯ୍ୟାତନାକାରୀକୁ ଘଣ୍ଟ ଘୋଡାଇବ ତେବେ ଆଗାମୀ ଦିନରେ କଳିଙ୍ଗସେନା ଏହା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇବ ବୋଲି ସେନାର ସାଧାରଣ ସମ୍ପାଦକ ଇ° ସ୍ବାତୀଶ ରଞ୍ଜନ ସାହୁ, ବରଦା ପ୍ରଶନ୍ନ ମହାନ୍ତି ଏବଂ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ତାବନୀ ଦେଇଛି ।