ଦଳ ପାଇଁ ବଳ: ସୁରେଶ ମହାପାତ୍ର

ପାଣ୍ଠି ଯୋଗାଡ଼ ପାଇଁ କାର୍ଯ୍ୟକାଳ ବୃଦ୍ଧି

କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପାଇବା ପରେ ମୁଖ୍ୟ ଶାସନ ସଚିବ ସୁରେଶ….

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପାଇବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ପାଇଛି । ଫଳରେ ସେ ୨୦୨୩ ଫେବୃଆରୀ ଶେଷ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିବେ । ପୂର୍ବରୁ ତାଙ୍କର କାର୍ଯ୍ୟକାଳକୁ ୬ ମାସ ପାଇଁ ବଢ଼ାଯାଇଥିଲା । ସଂକ୍ଷେପରେ କହିଲେ, ନବୀନବାବୁଙ୍କ ଶାସନ କାଳରେ ସୁରେଶବାବୁଙ୍କ କାର୍ଯ୍ୟକାଳକୁ ଦୁଇଥର ବୃଦ୍ଧି କରାଯାଇଛି ।
ରାଜ୍ୟବାସୀ ଟିକେ ଧ୍ୟାନ ଦିଅନ୍ତୁ; ବିଜେପି ଗୋଠରେ ନଥିଲେ ମଧ୍ୟ ବିଜେଡି ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନରେ ଗଭୀର ଶ୍ରଦ୍ଧା ରହିଥିବା ପ୍ରମାଣିତ ହୋଇଛି । ଆମ ଗଣିତ ଭୁଲ ହୋଇଥିଲେ, ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ସୁପାରିଶକୁ ପ୍ରଧାନମନ୍ତ୍ରୀ ମୋଦୀ ଅଟକାଇ ଦେଇଥାନ୍ତେ ନିଶ୍ଚିତ । ମୋଦୀଜୀଙ୍କ ଶାସନ କଳାକୁ ନବୀନବାବୁ ଠିକ୍‌ ଭାବରେ ଅନୁକରଣ କରୁଛନ୍ତି । ମୋଦୀଜୀଙ୍କ କ୍ୟାବିନେଟରେ ବହୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଛନ୍ତି । ଜୟଶଙ୍କର, ବିଶ୍ୱେଶ୍ୱର ଟୁଡୁ, ଅଶ୍ୱିନୀ ବୈଷ୍ଣବଙ୍କ ଭଳି ପ୍ରଶାସନିକ ଅଧିକାରୀମାନେ ଯଦି ମୋଦୀଙ୍କ କ୍ୟାବିନେଟ୍‌ ପାଇଁ ଫିଟ୍‌ । ତେବେ ସୁରେଶବାବୁ କ’ଣ ନବୀନବାବୁଙ୍କ ପାଇଁ ଫିଟ୍‌ ହେବେନି । ମୋଦୀଜୀଙ୍କ ହୃଦୟରେ ଶିଳ୍ପପତିଙ୍କ ସ୍ଥାନ ସବୁଠୁ ଉଚ୍ଚରେ । ଠିକ୍‌ ସେମିତି ନବୀନବାବୁଙ୍କ ମନରେ ଶିଳ୍ପପତିଙ୍କ ସ୍ଥାନ ବହୁତ ଉଚ୍ଚରେ । ଅମ୍ବାନୀ ପରିବାର ପାଇଁ ମୋଦୀଜୀ ରାଜକୋଷକୁ ଖୋଲି ଦେଇଛନ୍ତି । ସେମିତି ଟାଟା ଗ୍ରୁପ ପାଇଁ ନବୀନବାବୁ ରାଜକୋଷ ଖୋଲି ଦେଇଛନ୍ତି । ମୋଦୀଜୀଙ୍କ ପ୍ରିୟ ଚେଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକାଶ ଦୁବେକୁ ଏନ୍‌କାଉଂଟର କରି ୟୁପି ମାଫିଆଙ୍କୁ ସ୍ଥାଣୁ କରି ଦେଇଛନ୍ତି । ଓଡ଼ିଶାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଂଟର କରି ନବୀନବାବୁ ମୋଦୀଜୀଙ୍କୁ ପାରିବାପଣିଆ ଦେଖାଇଛନ୍ତି । ମୋଟ ଉପରେ କହିଲେ, ନବୀନବାବୁ ତାଙ୍କ ମୁଣ୍ଡରୁ କିଛି ବୁଦ୍ଧି ବାହାର କରି ଶାସନ କରୁନାହାନ୍ତି । ମୋଦୀଜୀଙ୍କୁ ଲୟ ରଖି ନବୀନ ବାଟ ଚାଲୁଛନ୍ତି; ତେଣୁ ତାଙ୍କ ପାଦରେ କଂଟା ବାଜିବାର ପ୍ରଶ୍ନ ଉଠୁନାହିଁ ।

ସୁରେଶବାବୁଙ୍କ କାର୍ଯ୍ୟକାଳ ବୃଦ୍ଧି କାରଣରୁ ମୁଖ୍ୟ ଶାସନ ସଚିବ ଦୌଡ଼ରେ ଥିବା କିଛି ବରିଷ୍ଠ ଆଇଏଏସ୍‌ ଅସନ୍ତୁଷ୍ଟ ହୋଇଛନ୍ତି । କିନ୍ତୁ ନବୀନବାବୁଙ୍କ ଶାସନରେ ପାଟି ଫିଟାଇ କେହି ଗାତରେ ପଡ଼ିବାକୁ ଚାହୁନାହାନ୍ତି । ‘ଢିଙ୍କିର ଜନମ ଧାନ କୁଟିବା ପାଇଁ’ ନ୍ୟାୟରେ ଲାଇନରେ ଠିଆ ହୋଇଥିବା ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିବା କଥା । ମାତ୍ର ସୁରେଶବାବୁଙ୍କ ଉପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅତିମାତ୍ରାରେ ମେହେରବାନ । ନବକଳେବର କଥା ଭୁଲିଗଲେ କି? ସୁରେଶବାବୁ ଥିଲେ ବୋଲି କେଡେ଼କେଡେ଼ କୁହାଳିଆ ନେତାଙ୍କ ପାଟିରେ ତାଲା ପକାଇ ନବକଳେବର ସମୟର ବହୁ ବିବାଦୀୟ ଅଧ୍ୟାୟକୁ ସହଜରେ ହଜମ କରିଦେଲେ ।

ଯେତେବେଳେ ଯୋଉ ଦାୟିତ୍ୱ ସୁରେଶବାବୁଙ୍କୁ ଦିଆଯାଇଛି, ବିନା ପ୍ରତିବାଦରେ ତାହାକୁ ଗ୍ରହଣ କରି ସରକାର ପାଇଁ ‘ସଙ୍କଟମୋଚନ’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କ ଭଳି ଜଣେ ଦକ୍ଷ ବ୍ୟକ୍ତିତ୍ୱ ବିଜେଡି ପାଇଁ ଦରକାର ବୋଲି ନବୀନବାବୁ ଅନୁଭବ କରିଛନ୍ତି । ସୁରେଶବାବୁଙ୍କୁ ଦଳରେ ଥଇଥାନ କରିବାର ଯୋଜନା ରଖି ନବୀନବାବୁ ତାଙ୍କ କାର୍ଯ୍ୟକାଳକୁ ଦୁଇଥର ବୃଦ୍ଧି କରିଛନ୍ତି ।
ଓଡ଼ିଶାର କଳାତାଲିକାଭୁକ୍ତ ଶିଳ୍ପପତି, ବ୍ୟବସାୟୀ, ରାଜନେତା, ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ତାଲିକା ସୁରେଶବାବୁଙ୍କ ପାଖରେ ମହଜୁଦ ଅଛି । ଆସନ୍ତା ୬ ମାସ ଭିତରେ ସେମାନଙ୍କ ଘରେ କଳାକନା ବୁଲାଇ ବିଜେଡି ମୁଣି ଭରିବା ସୁରେଶବାବୁଙ୍କ ବାମହାତର ଖେଳ ।