କରୋନା ଏବେ ମଣିଷର ଚିର ସହଚର

ସତର୍କତା ହିଁ ସୁରକ୍ଷା କବଚ’

ଭୁବନେଶ୍ୱର: ‘ବୁଷ୍ଟର ଡୋଜ୍‌ ପାଖରେ କିଛି ଚମକ୍ରାରିତା ନାହିଁ । ବୁଷ୍ଟର ଡୋଜ୍‌ ନେଲାପରେ କରୋନା ହେବନି ବୋଲି କୌଣସି ଡାକ୍ତର ଛାତିରେ ହାତ ପିଟି ଦୃଢ଼ତାର ସହ କହିପାରିବେନି । ସତ କଥା ହେଉଛି, କରୋନା ଆଉ ଲୋପ ପାଇବାର ପ୍ରଶ୍ନ ଉଠୁନି । ଏବେ ଦେଶରେ ଦୈନିକ ସଂକ୍ରମଣ ୨୦ ହଜାର ଉପରେ ଅଛି । ଆସନ୍ତା ଦୁଇବର୍ଷ ଭିତରେ ଦୈନିକ ସଂକ୍ରମଣ ହାର ୫୦୦/୬୦୦କୁ ଖସିବ । ତା’ ପରଠାରୁ ଅନ୍ୟ ଭାଇରସ୍‌ ଭଳି କରୋନା ଆମର ଚିର ସହଚର ହୋଇରହିବ ।’ ଏଭଳି ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଜଣେ ବରିଷ୍ଠ ଡାକ୍ତର । ନାମକୁ ଗୋପନ ରଖିବା ସର୍ତରେ ସେ କହିଛନ୍ତି, ଆଉ କରୋନାକୁ ଡରିବା ଦରକାର ନାହିଁ । ଯେତେ ଡରିବ, କରୋନା ସେତେ ଡରାଇବ । ଗୋଟିଏ କଥା ମନେରଖିବ, ପଦାକୁ ଗୋଡ଼ କାଢ଼ିବ ମାନେ ନାକପାଟି ଉପରେ ମାସ୍କ ରଖିବ । ବାହାର କାମ ସାରି ଘର ଭିତରକୁ ଯିବା ପୂର୍ବରୁ ଗୋଡ଼ହାତକୁ ଭଲ ଭାବରେ ଧୋଇବ । ସବୁବେଳେ ସାନିଟାଇଜର ବ୍ୟବହାର କରିବ । ଏସବୁ ନିୟମ ପାଳନ କରୁଥିବା ଲୋକକୁ କରୋନା ଛୁଇଁବ ନାହିଁ ।

ସୂଚନା ମୁତାବକ, ବୁଧବାର ୨୦ ହଜାର ୫୫୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୮ ହଜାର ଟପିଛି । ବୁଧବାର ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ମୃତ୍ୟୁହାର ୧.୨୧% ରହିଛି । ଆଗାମୀ ଦିନରେ କରୋନା ମୃତ୍ୟୁହାର କମିବା ସୁନିଶ୍ଚିତ; ମାତ୍ର ଜିରୋ ପ୍ରତିଶତକୁ ଖସିବା ଅନିଶ୍ଚିତ । ପରିବେଶ ପ୍ରଦୂଷଣ ରୋକିବା ଯେପରି କଷ୍ଟସାଧ୍ୟ, କରୋନା ରୋକିବା ସେହିଭଳି କଷ୍ଟକର । ଆଗାମୀ ଦିନରେ କରୋନା ଭିନ୍ନଭିନ୍ନ ରୂପରେ ଲୋକଙ୍କୁ ଆକ୍ରମଣ କରିବ । ତେଣୁ ସତର୍କତା ହିଁ ସୁରକ୍ଷାର ଏକମାତ୍ର ଅସ୍ତ୍ର ।