ଭିଟାମାଟି ଜଗିଥିବା ପରିବାରକୁ ମିଳୁନି ରନ୍ଧାଖାଦ୍ୟ

ମୁଖ୍ୟମନ୍ତ୍ରୀ କେବଳ ଘୋଷଣା କରିବା ଶିଖିଛନ୍ତି

ବାଲେଶ୍ୱର: ବିପନ୍ନଙ୍କ ମୁହଁରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ନାନା ଅଭିଯୋଗ ଶୁଣିବାକୁ ମିଳୁଛି । ‘ମୁଖ୍ୟମନ୍ତ୍ରୀ କେବଳ ଘୋଷଣା କରି ଜାଣନ୍ତି, ମାତ୍ର ଘୋଷଣା ପାଳନ କରିବା ଶିଖିନାହାନ୍ତି’ । ‘ସଚିବାଳୟରେ ବସି କଥା କହିବା ଛଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଆଉ କିଛି ମାଲୁମ ନାହିଁ’ । ଲୋକଙ୍କ ଅଭିଯୋଗରେ ସତ୍ୟତା ଅନୁଭବ କରୁଛନ୍ତି ବନ୍ୟାଂଚଳରେ ବୁଲୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ।
ବନ୍ୟାପାଣି କମିବାକୁ ଲାଗିଛି; ମାତ୍ର ବିପନ୍ନଙ୍କ ଦୁର୍ଦ୍ଦଶା କମୁନାହିଁ । ଗୁରୁବାର ଲଘୁଚାପ କାରଣରୁ ବର୍ଷା ହେବାର ସମ୍ଭାବନା ଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବ । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲାର ୧୭୦ରୁ ଅଧିକ ଗ୍ରାମ ପାଣିଘେରରେ ରହିଛି । ବନ୍ୟାପାଣି ବିଭିନ୍ନ ଗ୍ରାମରେ ପଶିଯିବାରୁ ଧାନ, ପରିବା, କୁକୁଡ଼ା ଓ ମାଛଚାଷ ନଷ୍ଟ ହୋଇଯାଇଛି । କ୍ଷୟକ୍ଷତି ଆକଳନ ରିପୋର୍ଟ ପାଇବାର ୧୫ ଦିନ ଭିତରେ କ୍ଷତିପୂରଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତ୍ର କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନ ପକ୍ଷରୁ କେହି ବିପନ୍ନଙ୍କ ନିକଟରେ ପହଂଚି ନାହାନ୍ତି । ବଢ଼ିପାଣି ସଂପୂର୍ଣ୍ଣ କମିଯିବା ପରେ ପ୍ରଶାସନିକ ଅଧିକାରୀମାନେ ଗାଁକୁ ଗାଁ ବୁଲି କ୍ଷୟକ୍ଷତି ଆକଳନ କରିବେ; ମାତ୍ର ସେ ପର୍ଯ୍ୟନ୍ତ ବିପନ୍ନଙ୍କ ଯନ୍ତ୍ରଣା ଲାଘବ କରିବା ଭଳି ପଦକ୍ଷେପ ଗ୍ରହଣ କରିନାହାନ୍ତି ମୁଖ୍ୟମନ୍ତ୍ରୀ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଂଚାୟତର ରସୁଲପୁର ନିକଟରେ ସୁବର୍ଣ୍ଣରେଖା ବନ୍ଧରେ ବିରାଟ ଘାଇ କାରଣରୁ ପାଣିର ସୁଅ ତୀବ୍ର ରହିଛି ।
ଫଳରେ ଜାମକୁଣ୍ଡା ଅଂଚଳର ବଡ଼ ତାଳପଦା, ସାନ ତାଳପଦା, କୁହ୍ଲାଚଡ଼, ବିଷ୍ଣୁପୁର ପଂଚାୟତର ବିଷ୍ଣୁପୁର, ଇକଡ଼ପାଳ, ରସୁଲପୁର, ନୟାବାଲି ପାଣିଘେରରେ ରହିଛି । ବାଲିଆପାଳ ବ୍ଲକର ପାଳ ଚମ୍ପେଇ, ରାଉତୁରାପୁର, ଚୌଧୁରୀକୁଦ, ସୂର୍ଯ୍ୟାପୁର ପ୍ରଭୃତି ୩୦ରୁ ଅଧିକ ଗାଁ ପାଣିଘେରରେ ରହିଛି । ବିଷ୍ଣୁପୁରରୁ ପନ୍ତେଇ ଘାଟ ଯାଇହେଉନି । ସେହିପରି ଜଳେଶ୍ୱର ବ୍ଲକର ୪୦ଟି ଗାଁ ପାଣିଘେରରେ ଥିଲା । ଏବେ ବାଇଗଣବାଡ଼ିଆ, ପଶ୍ଚିମବାର୍ଡ, ଖାଲିନା, ଝାଡ଼ପିପଳ, ରାୟା ରାମଚନ୍ଦ୍ରପୁର, ଗଡ଼ସାହି, ବାଲିଆପାଳ ସମେତ ପାଇକସିଦା ପଂଚାୟତର ୧୬ଟି ଗାଁ ପାଣିର ବୁଡ଼ି ରହିଛି । ଅନେକ ଜାଗାରେ ରାସ୍ତା ଉପରେ ପାଣିସୁଅ ଥିବାରୁ ଲୋକମାନେ ଚଳପ୍ରଚଳ କରିବାକୁ ଡରୁଛନ୍ତି । ପାଣିଘେରରେ ରହିଥିବା ପରିବାର ନିକଟକୁ ରନ୍ଧାଖାଦ୍ୟ ପହଂଚିନାହିଁ । କେବଳ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ରହିଥିବା ବିପନ୍ନଙ୍କୁ ରନ୍ଧ୍ୟାଖାଦ୍ୟ ଦିଆଯାଉଛି । ଖାଇବାକୁ ନପାଇ ଗାଈଗୋରୁ, ଛେଳିମେଣ୍ଢା, କୁକୁଡ଼ା, କୁକୁର ପ୍ରଭୃତି କଲବଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଘୋଷଣା ପାଣିର ଗାର ବୋଲି ବହୁ ବିପନ୍ନଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।