କଂଗ୍ରେସର ‘ଭାରତ ଯୋଡେ଼ା’କୁ ଶକ୍ତିଶାଳୀ ଚୋଟ

ମୋଦୀଙ୍କ ଚାପରେ କଟିଲା ୟୁଟୁବ୍‌ ଚାନେଲ

ନୂଆଦିଲ୍ଲୀ: ‘ଭାରତ ଯୋଡେ଼ା’ ପୂର୍ବରୁ କଂଗ୍ରେସର ୟୁଟୁବ୍‌ ଚାନେଲକୁ କାଟି ଦିଆଯାଇଛି । ନିଜେ କଂଗ୍ରେସ ଟ୍ୱିଟ୍‌ କରି ଏହି ଖବର ଜଣାଇଛି । କଂଗ୍ରେସକୁ ମୂଳପୋଛ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବଦ୍ଧପରିକର । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ମାତ୍ର ୫୦ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ୨୦୨୪ ନିର୍ବାଚନରେ ଦଳକୁ ଗୋଟିଏ ଅଙ୍କରେ ସୀମିତ ରଖିବା ପାଇଁ ବିଜେପି ଗୋଠ ପକ୍ଷରୁ ଜୋରସୋର ଉଦ୍ୟମ ଆରମ୍ଭ କରାଯାଇଛି । ଚାନେଲ କଟିଯିବା ଅଭିଯୋଗ ଶୁଣିବା ପରେ ଗୁଗୁଲ ଓ ୟୁଟୁବ୍‌ ଅଧିକାରୀମାନେ କହିଛନ୍ତି ଯେ କମ୍ପାନୀର ଯାଂଚ ଟିମ୍‌ ବାସ୍ତବ ସମସ୍ୟା ଜାଣିବାକୁ ଚେଷ୍ଟା କରୁଛନ୍ତି । ଯାନ୍ତ୍ରିକ ତ୍ରୁଟି କାରଣରୁ ଅବା ହ୍ୟାକିଙ୍ଗ ଶିକାର ହୋଇ କଂଗ୍ରେସର ୟୁଟୁବ୍‌ ଚାନେଲ କଟିଯାଇଛି; ତା’ର ବିନ୍ଦୁବିସର୍ଗ ଖବର ଦଳ ପାଖରେ ନାହିଁ ।

ଏଠାରେ ଜଣାଇଦେଉଛୁ କି, ସେପ୍ଟେମ୍ବର ୭ ତାରିଖରୁ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ‘ଭାରତ ଯୋଡେ଼ା’ ଆରମ୍ଭ ହେବାର ଅଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ତାମିଲନାଡୁର କନ୍ୟାକୁମାରୀଠାରୁ ଭାରତ ଯୋଡେ଼ା ଯାତ୍ରା ଆରମ୍ଭ ହେବ । ୧୨ଟି ରାଜ୍ୟ ବୁଲିବା ପରେ ଜମ୍ମୁ-କଶ୍ମୀରରେ ଅଭିଯାନ ଶେଷ ହେବ । ଏହି ଯାତ୍ରାରେ କଂଗ୍ରେସ ପତାକା ଦେଖିବାକୁ ମିଳିବନି । ନେତାଙ୍କ ହାତରେ କେବଳ ତିରଙ୍ଗା ରହିବ ।
ଏହି ଯାତ୍ରା ଉପରେ କଂଗ୍ରେସ ନେତାଏ ବହୁତ ଭରସା ରଖିଛନ୍ତି । ଯାତ୍ରାଟି ୧୫୦ ଦିନ ଭିତରେ ୩୫୦୦ କିଲୋମିଟର ଅତିକ୍ରମ କରିବାର ଅଛି । ଅଭିଯାନକୁ ଦୃଷ୍ଟିରେ ରଖି ବହୁ କଂଗ୍ରେସ ନେତା ସେମାନଙ୍କର ପ୍ରୋଫାଇଲ୍‌ ଫଟୋ ବଦଳାଇଛନ୍ତି । ଅଭିଯାନ’ର କାରଣ ସମ୍ପର୍କରେ କଂଗ୍ରେସର ବଡ଼ ନେତାମାନେ କହନ୍ତି, ବିଜେପି ଶାସନରେ ଦେଶରେ ଘୃଣା ରାଜନୀତି ବଢ଼ିଯାଇଛି । କଂଗ୍ରେସର ‘ଭାରତ ଯୋଡେ଼ା’ ଅଭିଯାନ ଲୋକଙ୍କ ମନରୁ ‘ଘୃଣା ଓ ହିଂସା’ର ଅବସାନ ପାଇଁ ଏକ ଆହ୍ୱାନ ମାତ୍ର ।