ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏହି ସମ୍ମାନଜନକ ପୁରସ୍କାର ପ୍ରବର୍ତ୍ତନ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅମୂଲ୍ୟ ଓ ନିଃସ୍ୱାର୍ଥପର ସେବା ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସହିତ ସେମାନଙ୍କୁ ପୁରସ୍କୃତ କରିବାକୁ ଏହି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩ ଉଦ୍ଦିଷ୍ଟ ।
ପ୍ରତିବର୍ଷ ନେତାଜୀ ଜୟନ୍ତୀ ଜାନୁୟାରୀ ୨୩ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ । ପୁରସ୍କାର ବାବଦରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ୫ଲକ୍ଷ ଟଙ୍କାର ନଗଦ ଅର୍ଥ ଓ ପ୍ରମାଣପତ୍ର ଦିଆଯାଏ । କୌଣସି ଅନୁଷ୍ଠାନ ଯଦି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୁଏ ତାହେଲେ ତାହାକୁ ନଗଦ ୫୧ଲକ୍ଷ ଟଙ୍କା ଓ ପ୍ରମାଣପତ୍ର ଦେବାର ବ୍ୟବସ୍ଥା ରହିଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଦିଗ୍ଦର୍ଶନରେ ଦେଶ ବିପର୍ଯ୍ୟୟ ପରିଚାଳନା ନୀତି, ପ୍ରସ୍ତୁତି, ବିପର୍ଯ୍ୟୟ ହ୍ରାସ ଓ ମୁକାବିଲା ବ୍ୟବସ୍ଥାରେ ଉଲ୍ଲେଖନୀୟ ପ୍ରଗତି କରିଛି । ଏହା ଫଳରେ ପ୍ରାକୃତିକ ବିପତ୍ତିଜନିତ ମୃତାହତଙ୍କ ସଂଖ୍ୟା ଏବଂ କ୍ଷୟକ୍ଷତିର ପରିମାଣ କମିଛି ।
୨୦୨୩ ବର୍ଷର ପୁରସ୍କାର ପାଇଁ ୨୦୨୨ ଜୁଲାଇ ପହିଲାରୁ ମନୋନୟନପତ୍ର ଆହ୍ୱାନ କରାଯାଇଥିଲା । ଏଥିପାଇଁ ଛାପା, ଇଲେକ୍ଟ୍ରୋନିକ୍୍ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା । ଏହାପରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କ ପକ୍ଷରୁ ମୋଟ ୨୭୪ଟି ବୈଧ ମନୋନୟନ ସକରାରଙ୍କ ପାଖରେ ପହଞ୍ଚିଥିଲା ।
ପୁରସ୍କୃତ ଦୁଇ ସଂସ୍ଥାଙ୍କ ସଫଳତା ନିମ୍ନରେ ପ୍ରଦାନ କରାଗଲା
୧) ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସଡମା) ୧୯୯୨ ମହାବାତ୍ୟା ପରେ ଗଠିତ ହୋଇଥିଲା। ଏହା ସେବେଠାରୁ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଆସୁଛି । ଏହା ଏକ ବିପର୍ଯ୍ୟୟ ମୁକାବିଲା ବାହିନୀ ଓଡ୍ରାଫ ତିଆରି କରିଛି । ଏହା ମଧ୍ୟ ବିବିଧ ବିପଦର ଆଗୁଆ ସୂଚନା ସେବା ବ୍ୟବସ୍ଥା ପ୍ରବର୍ତ୍ତନ କରି ବିପର୍ଯ୍ୟୟ ମୁକାବିଲାରେ ଅତ୍ୟାଧୁନିକ ଟେକ୍ନୋଲୋଜି ଉପଯୋଗ କରୁଛି । “ସତର୍କ” ବ୍ୟବସ୍ଥାରେ ଏହା ଲୋକଙ୍କୁ ଆଗୁଆ ପ୍ରାକୃତିକ ବିପଦର ସୂଚନା ଦେଉଛି । ବିଭିନ୍ନ ବାତ୍ୟା ଓ ବନ୍ୟା ସମୟରେ ଓସ୍ଡମା ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ କରି ପ୍ରଶଂସିତ ହୋଇଛି । ରାଜ୍ୟର ୩୮୧ ସୁନାମି ପ୍ରବଣ ଗାଁରେ ଏହା ଗୋଷ୍ଠୀ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିଥିବାବେଳେ ସମୁଦ୍ରକୂଳଠାରୁ ୧.୫% କି.ମି. ଦୂରରେ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ତିଆରି କରିଛି ।
୨) ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ୨୦୨୬ ଏପ୍ରିଲ ୨୪ରେ ଲାଗିଥିବା ପ୍ରଚଣ୍ଡ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ଏହି ଜଙ୍ଗଲଟି ଲୁଙ୍ଗଲେଇ ଟାଉନ ଓ ୧୦ଟି ଗ୍ରାମ ପରିଷଦ ଅଞ୍ଚଳକୁ ଘେରି ରହିଛି । ନିଆଁକୁ ଆୟତ୍ତତ କରିବା ଫଳରେ ଅନେକ ଧନଜୀବନ ରକ୍ଷା ହୋଇଥିଲା । ନିଆଁ ଲିଭାଇବାକୁ ଦମକଳ କର୍ମଚାରୀଙ୍କୁ ନିରନ୍ତର ୩୨ଘଣ୍ଟା କାମ କରିବାକୁ ପଡିଥିଲା । ଏଥିରେ କୌଣସି ଧନଜୀବନ ହାନି ଘଟି ନ ଥିଲା । ଏହି ଦମକଳ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବନାଗ୍ନିକୁ ଆୟତ୍ତ କରିବାକୁ ଆବଶ୍ୟକ ତାଲିମ ଓ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ।