ସୁଧୁରୁନି ଭସାପୋଲ ସେବା : ଗୋଟିଏ ଚାଲିଲେ ଗୋଟିଏ ବନ୍ଦ

ବ୍ରହ୍ମଗିରି : ଚିଲିକାରେ ଏବେ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଛି । ଆଉ ଗୋଟିଏ ଭସାପୋଲ ଖରାପ ହୋଇ ପଡ଼ିଛି । ଫଳରେ ଯାତ୍ରୀ ପରିବହନରେ ସମସ୍ୟା ଯେତିକି ଦେଖା ଦେଇଛି ତା’ଠାରୁ ଅଧିକ ସମସ୍ୟା ହେଉଛି ଘରୋଇ ଡଙ୍ଗାରେ ବିପଦସଙ୍କୁଳ ଯାତ୍ରୀ ପରିବହନ । ତେବେ ଗୋଟିଏ ଭସାପୋଲ ବନ୍ଦ ରହିବା ଗତ କିଛି ବର୍ଷ ଧରି ଏକ ନିୟମିତ ଘଟଣାରେ ପରିଣତ ହୋଇଗଲାଣି । କାରଣ ଚିଲିକା ଦ୍ୱିପାଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଦୁଇଟି ଭସାପୋଲ ଚଳାଚଳ ସୁବିଧା କରିଥିଲେ ମଧ୍ୟ ବର୍ଷର ଅଧିକାଂଶ ସମୟ କେବଳ ଗୋଟିଏ ଭସାପୋଲରେ ହିଁ କାମ ଚଳିଯାଉଛି । ଅନେକ ସମୟରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଗୋଟିଏ ବନ୍ଦ ରହୁଥିବାର ଦେଖାଯାଉଛି ।

ଚିଲିକାରାଣୀ ଓ ଭାବକୁଣ୍ଡଳେଶ୍ୱର ନାମକ ଦୁଇଟି ବଡ ଭସାପୋଲ ରହିଛି । ବସ ସହିତ ଅନ୍ୟ ବଡ଼ଗାଡି ଏବଂ ଯାତ୍ରୀଙ୍କୁ ନେଇ ଏହି ଭସାପୋଲ ଚିଲିକାର ୫ କିଲୋମିଟର ଜଳଯାତ୍ରା କରିଥାଏ । ଭାବକୁଣ୍ଡଳେଶ୍ୱର ନାମକ ଭସାପୋଲ ଏବେ ଖରାପ ହୋଇ ପଡିଛି । ଫଳରେ ସାତପଡା ଘାଟରୁ ସକାଳୁ ଆଉ ଭସାପୋଲ ଯାତ୍ରୀ ପରିବହନ କରି ପାରୁ ନାହିଁ । ଅନ୍ୟପଟେ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଥିବା ଯୋଗୁ ଏହାର ଫାଇଦା ଉଠାଇ ଘରୋଇ ଡଙ୍ଗାରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ ଚାଲୁଥିବା ଜଣାପଡିଛି । ଏହି କାରଣରୁ ଚିଲିକାରେ ବାରମ୍ବାର ନୌକା ଦୁର୍ଘଟଣା ଘଟୁଛି ।