୧୮ରେ ବିସିସିଆଇ ନିର୍ବାଚନ: ସମ୍ପାଦକ ଦୌଡ଼ରେ ଅରୁଣ ଧୂମାଲ

ପ୍ରିମକୋର୍ଟ ମାମଲାର ଶୁଣାଣି କରି ସମ୍ବିଧାନରେ ସଂଶୋଧନ କରିବାକୁ….

ମୁମ୍ବାଇ : ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ସମ୍ବିଧାନରେ ସଂଶୋଧନ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଫଳରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହା ଦ୍ୱିତୀୟ ଥର ନିର୍ବାଚନରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଅକ୍ଟୋବର ୧୮ ତାରିଖରେ ବିସିସିଆଇର ପରବର୍ତ୍ତୀ ନିର୍ବାଚନ ଏବଂ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ବସିବ । ଏ ବିଷୟରେ ଖୁବ ଶୀଘ୍ର ବୋର୍ଡ ପକ୍ଷରୁ ଘୋଷଣା ହେବ ବୋଲି ଏକ ରାଜ୍ୟ ସଂଘର ଜଣେ ବରିଷ୍ଠ କର୍ମକର୍ତ୍ତା ସୂଚନା ଦେଇଛନ୍ତି । ସୌରଭ ଗାଙ୍ଗୁଲି ଦ୍ୱିତୀୟ ଥର ବୋର୍ଡ ସଭାପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସେ ବିସିସିଆଇରୁ ପ୍ରତିନିଧିତ୍ୱ କରି ଆଇସିସି ଅଧ୍ୟକ୍ଷ ହେବାକୁ ଚାହାନ୍ତି । ତେଣୁ ବର୍ତ୍ତମାନର ସମ୍ପାଦକ ଜୟ ଶାହା ସଭାପତି ଏବଂ କୋଷାଧ୍ୟକ୍ଷ ଅରୁଣ ଧୂମାଲ ପରବର୍ତ୍ତୀ ସମ୍ପାଦକ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । କିନ୍ତୁ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତିକୁ ସମସ୍ତଙ୍କର ଅପେକ୍ଷା ରହିଛି । ସୌରଭ ଗାଙ୍ଗୁଲି ଆଇସିସିକୁ ଗଲେ ଅନିରୁଦ୍ଧ ଚୌଧୁରୀ, ରୋହନ ଜେଟଲୀ ଏବଂ ରାଜୀବ ଶୁକ୍ଳା ବିସିସିଆଇ କ୍ଷମତା କେନ୍ଦ୍ର ମଧ୍ୟରେ ପ୍ରବେଶ କରିବାକୁ ପ୍ରମୁଖ ଦାବିଦାର ରହିଛନ୍ତି । ଶୁକ୍ଳା ପରବର୍ତ୍ତୀ ଆଇପିଏଲ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ସୁପ୍ରିମକୋର୍ଟ କହିଛନ୍ତି, ଗୋଟିଏ ସ୍ଥାନରେ (ରାଜ୍ୟ ସଂଘ କିମ୍ବା ବିସିସିଆଇ) ଜଣେ ବ୍ୟକ୍ତି କ୍ରମାନ୍ୱୟରେ ୨ଟି କାର୍ଯ୍ୟକାଳ ପୂରଣ କରିପାରିବେ ।

 

ଏହାପରେ ତାଙ୍କ ପାଇଁ କୁଲିଂ ଅଫ ପିରିୟଡ ଲାଗୁ ହେବ । ବିସିସିଆଇ ଏବଂ ରାଜ୍ୟ ସଂଘ ଭିନ୍ନ ଭିନ୍ନ ସ୍ଥାନ ହୋଇଥିବାରୁ ଗୋଟିଏ ସ୍ଥାନରେ ୨ଟି ଥର କାର୍ଯ୍ୟକାଳ ପୂରଣ ହେବା ଉଚିତ ହେବ । ଏହି ଆଧାରରେ ସୌରଭ ଓ ଶାହା ବିସିସିଆଇରେ ଦ୍ୱିତୀୟ ଥର ନିର୍ବାଚନରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନେ ୨୦୧୯ ଅକ୍ଟୋବର ମାସରେ ସଭାପତି ଓ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ।