ଗୋବିନ୍ଦ ସାହୁ ମାମଲା ସିବିଆଇ ଦୃଷ୍ଟିକୁ ନିଅନ୍ତୁ ଧର୍ମେନ୍ଦ୍ର

ତଦନ୍ତ ଆଳରେ ପ୍ରମାଣ ଲୁଚାଉଛି କ୍ରାଇମ୍‌ ବ୍ରାଂଚ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଖୋଦ୍‌ ମହାପ୍ରଭୁ….

କଂଟାବାଂଜି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଖୋଦ୍‌ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଉଠବସ ହେଉଛନ୍ତି । ସେଠି ଗୋବିନ୍ଦ ସାହୁ ଭଳି ପ୍ରାଣୀ କିପରି ଆପଣା ମର୍ଜିରେ ପ୍ରାଣ ବିସର୍ଜନ କରିବ । ରାଜ୍ୟର ଚଳନ୍ତି ମହାପ୍ରଭୁଙ୍କ ନିର୍ଦ୍ଦେଶରେ କଂଟାବାଂଜି ଜେଲ କର୍ମଚାରୀଙ୍କ ଜାଣତରେ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇ ଟଙ୍ଗାଇ ଦିଆଯାଇଛି । ଘଟଣାର କ୍ରାଇମ୍‌ ବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କର ନିଷ୍କପଟ ଓ ସଚ୍ଚୋଟ ପଣିଆ ଜାହିର କରିଛନ୍ତି ବୋଲି ଲୋକମାନେ ଯାହା ଭାବୁଛନ୍ତି; ବାସ୍ତବରେ ସେଗୁଡ଼ିକ ନାଟକ ଛଡ଼ା ଆଉ କିଛି ନୁହେଁ ।
ଗୋବିନ୍ଦ ସାହୁ ହତ୍ୟା ସଂପର୍କୀତ ସବୁ ଗୋପନୀୟ ତଥ୍ୟ ଓ ଦଲିଲ ସଂଗ୍ରହ କରି ସେଗୁଡ଼ିକୁ ନଷ୍ଟ କରିବା ଦାୟିତ୍ୱ କ୍ରାଇମ୍‌ ବ୍ରାଂଚ ମୁଣ୍ଡାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଦକ୍ଷ ଫାଇଭ୍‌-ଟି ଟିମ୍‌ ଭଲ ଭାବରେ ଜାଣନ୍ତି, ଗୋବିନ୍ଦ ସାହୁକୁ ହତ୍ୟା କରାଯାଇ ଟଙ୍ଗାଇ ଦିଆଯିବାର ସାମାନ୍ୟ ସୁରାକ୍‌ ସିବିଆଇ ହାତରେ ପଡ଼ିଗଲେ, ନବୀନ ପଟ୍ଟନାୟକଙ୍କର ଅଖଣ୍ଡ କ୍ଷମତା ସଂକୁଚିତ ହୋଇଯିବ ।
ଗୋବିନ୍ଦ ସାହୁ ମୃତ୍ୟୁ ମାମଲାକୁ ଗୁରୁତ୍ୱ ଦେଇ ରାଜ୍ୟ ମାନବାଧିକାର କମିଶନ ତାଙ୍କ ଆଡ଼ୁ ଯୋଉ ମାମଲା ରୁଜୁ କରିଛନ୍ତି; ତା’ର ଅର୍ଥ ମଧ୍ୟ ସରକାରଙ୍କ ଦୋଷ ଘୋଡ଼ାଇବାର ଅଭିଯାନ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଏନ୍‌କାଉଂଟର ଘଟଣାକୁ ଗୁରୁତ୍ୱ ଦେଇ ରାଜ୍ୟ ମାନବାଧିକାର କମିଶନ ତାଙ୍କ ଆଡୁ ଯୋଉ ମାମଲା ରୁଜୁ କଲେ; ତା’ର ପରିଣାମ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ଜଣା ।
କ୍ରାଇମ୍‌ ବ୍ରାଂଚ୍‌ ସବୁ ତଥ୍ୟ ସଂଗ୍ରହ କରୁଛି; ମାତ୍ର ଚୁପ୍‌ ରହୁଛି । ମିଡିଆକୁ ଯାହା କହୁଛି, ମାପିଚୁପି କହୁଛି । ଗୋବିନ୍ଦ ସାହୁଙ୍କ ସାର୍ଟ ଭିତର ପକେଟରୁ ମିଳିଥିବା ଲଫାପା ଉପରେ ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁଙ୍କ ନାମ ଲେଖାଯାଇଛି । ଉକ୍ତ ଚିଠିଟି ପ୍ରକୃତରେ ଗୋବିନ୍ଦ ସାହୁ ଲେଖିଛନ୍ତି କି ନା’, ତାହା ଅସ୍ପଷ୍ଟ ରହିଛି । ଚିଠିଟି ଏବେ ମଧ୍ୟ କ୍ରାଇମ୍‌ ବ୍ରାଂଚ୍‌ ନିକଟରେ ରହିଛି । ଚିଠିଟିକୁ ଗୋବିନ୍ଦ ଆଉ କାହା ଚାପରେ ପଡ଼ି ଲେଖିଛନ୍ତି କି ନା’, ତାହା ମଧ୍ୟ ଜଣାପଡ଼ିବ ନାହିଁ କାରଣ ଗୋବିନ୍ଦ ଆଉ ନାହାନ୍ତି । ଗୋବିନ୍ଦଙ୍କ ପକେଟରୁ ମିଳିଥିବା ଚିଠିଟି ତାଙ୍କରି ହାତଲେଖା ଚିଠି ତ?
ଏମିତି ଅନେକ ପ୍ରଶ୍ନ ରାଜ୍ୟବାସୀଙ୍କ ମନରେ ଉଠିଛି । ମାମଲାଟି ଯେତେ ଶୀଘ୍ର ସିବିଆଇ ହାତକୁ ଯିବ, ସେତିକି ଭଲ । ତା’ ନହେଲେ ସିବିଆଇ ହାତକୁ ମାମଲା ଗଲା ବେଳକୁ କ୍ରାଇମ୍‌ ବ୍ରାଂଚ୍‌ ସବୁ ସଫା କରି ଦେଇଥିବ ।