ନବୀନଙ୍କ ପାଇଜାମାରେ ଟାଟା ପାୱାର ଦାଗ ଲଗାଇଲେ ପ୍ରଦୀପ

ଭୁବନେଶ୍ୱର: ଆମେ ବିଧାୟକ ପ୍ରଦୀପଙ୍କ କଥା କହୁନୁ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କଥା କହୁଛୁ । ଗୁରୁବାର ରାଜଧାନୀରେ କାଳବୈଶାଖିର କରାଳ ରୂପ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଲା । କାଳବୈଶାଖି ଯାହା ନାଟ ନକଲା, ତା’ଠାରୁ ଅଧିକ ନାଟ କଲା ଟାଟା ପାୱାର । ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଟାଟା ପାୱାରକୁ ମୁଣ୍ଡରେ ବସାଇଛନ୍ତି । ଟାଟା ପାୱାରକୁ ଧୁଆମୁଗ କହି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏକାଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟାଉଟର ସଚିବ ପାଣ୍ଡିଆନଙ୍କ କରୁଣା ଲାଭ କରୁଛନ୍ତି।

ଓଡ଼ିଶା ସହ ଟାଟା କମ୍ପାନର ଘନିଷ୍ଠ ସଂପର୍କ କିଏ ନଜାଣିଛି । ଏଇ ଟାଟାକୁ ଖୁସି କରିବା ପାଇଁ ରାଜ୍ୟ ସରକାର କଳିଙ୍ଗନଗରରେ ଆଦିବାସୀଙ୍କ ଉପରକୁ ଗୁଳି ଚଳାଇଛି । ମୃତ ଆଦିବାସୀଙ୍କ ହାତ ପାପୁଲି କାଟି ନେଇଯାଇଛି । ଟାଟାକୁ ଖୁସି କରି ରାଜ୍ୟ ରାଜନେତାମାନେ ମାଲାମାଲ ହୋଇଛନ୍ତି, ମାତ୍ର ରାଜ୍ୟବାସୀ କାଙ୍ଗାଳ ହୋଇଯାଇଛନ୍ତି ।

ଆଜି ଟାଟା ପାୱାର ମନଇଛା ବିଜୁଳି କାଟୁଛି । ସାଧାରଣ ଉପଭୋକ୍ତାଙ୍କୁ କନ୍ଦାଉଛି । ମାଛତେଲରେ ମାଛ ଭାଜି ଟାଟା ପାୱାର ଦିନକୁ ଦିନ କୋଟି କୋଟି ଟଙ୍କା ଫାଇଦା ଉଠାଉଛି ।
ଟାଟା ପାୱାରକୁ ମୁଣ୍ଡରେ ବସାଇବାର ପରିଣାମ ଗୁରୁବାର ରାତିରେ ଅନୁଭବ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଅଦିନିଆ ବର୍ଷା ଓ ତୋଫାନ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଘଂଟା ଘଂଟା ଧରି ଅନ୍ଧାର ରହିଲା ।

ମୁଖ୍ୟରାସ୍ତା ସମେତ ଗଳିରାସ୍ତା ଉପରେ ବିରାଟ ବିରାଟ ଗଛ ଶୋଇଗଲା । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ବୋହିବା ଫଳରେ ଯାନବାହନ ଚଳପ୍ରଚଳରେ ସମସ୍ୟା ଉପୁଜିଲା । ଗଛ ଭାଙ୍ଗିଯିବାରୁ ବିଜୁଳି ତାର ଛିଣ୍ଡିଗଲା । ବିଦ୍ୟୁତ ସରବରାହ ବନ୍ଦ ହୋଇଗଲା ।

ରାଜଧାନୀକୁ ଆଲୋକିତ କରିବା ପାଇଁ ଟାଟା ପାୱାର ବେଶି ସମୟ ନେଲା । ଟାଟା ପାୱାରର କଚ୍ଛପ ଗତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଭାରି ବାଧିଲା । ସେ ଆଉ ନିରବ ରହି ପାରିଲେନି । ଟାଟା ଉପରେ ଥିବା ଅସନ୍ତୋଷକୁ ଟ୍ୱିଟରରେ ଲେଖିଦେଲେ । ବାସ୍‌ ସେହି ଟ୍ୱିଟରଟି ମୁଖ୍ୟମନ୍ତ୍ରୀଙ୍କ ପାଇଜାମାରେ ଦାଗ ଲଗାଇଦେଲା ।

ସାମାନ୍ୟ କାଳବୈଶାଖି ଯନ୍ତ୍ରଣାରୁ ରାଜଧାନୀ ବାସିନ୍ଦାଙ୍କୁ ଉଦ୍ଧାର କରିବା ପାଇଁ ଯଦି ଟାଟା ପାୱାର ଏତେ ସମୟ ନିଏ, ତେବେ ଫନି, ହୁଡହୁଡ ଭଳି ସାମୁଦ୍ରିକ ଝଡ଼ତୋଫାନ କବଳରୁ ରାଜ୍ୟବାସୀଙ୍କୁ ମୁକୁଳାଇବା ପାଇଁ ଟାଟା ପାୱାର କେତେ ସମୟ ନେବ ପ୍ରତିକ୍ରିୟା ପ୍ରକାଶ କରି ପ୍ରଦୀପ ଜେନା ଅକ୍ଷମଣୀୟ ଅପରାଧ କରିନାହାନ୍ତି ତ!