କମୁଛି ମୋଦିଙ୍କ ଲୋକପ୍ରିିୟତା: ମଣିପୁର ମିଶନ ଫେଲ

ମଣିପୁରରେ ୯୮ ମୃତ, ୩୦୦ରୁ ଅଧିକ ଆହତ, ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଛନ୍ତି ୩୭ ହଜାରରୁ ଅଧିକ । ଏକମାସ ପରେ ମଧ୍ୟ ମଣିପୁରରେ ଇଂଟରନେଟ୍‌ ସେବା ବନ୍ଦ । ଜୁନ ୪ ତାରିଖ ସନ୍ଧ୍ୟା ସମୟରେ ଜଣେ ୮ ବର୍ଷର ନିରୀହ ପିଲାକୁ ତା’ ମା’ ଓ ଆଈମା’ଙ୍କ ସମେତ ଆମ୍ବୁଲାନ୍ସରେ ଜୀବନ୍ତ ଜଳାଇ ଦିଆଗଲା । ଏଭଳି ଭୟଙ୍କର ଘଟଣା ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ସଂପୃକ୍ତ ଇଲାକାର ପ୍ରତି ଗଳିକନ୍ଦିରେ ସେନା, ଅର୍ଦ୍ଧସାମରିକ ସେନା ଓ ପୁଲିସ ମୁତୟନ ରହିଥିଲେ ।

କୁକି ହୁଅନ୍ତୁ କି ମୈତେୟି, ଉଭୟ ଗୋଷ୍ଠୀ ଆପଣା ଆପଣା ଇଲାକାର ସୁରକ୍ଷା ପାଇଁ ହାତ ହତିଆର ଧରି ସଡ଼କ ଉପରେ ଠିଆ ହୋଇଛନ୍ତି । ମେ’ ୫ ତାରିଖ ସୁଦ୍ଧା ୫୨୦୦ ହତିଆର ଲୁଟ କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଶତବାର ଅନୁରୋଧ ପରେ ମାତ୍ର ୯୦୦ ହତିଆର ଜବତ କରାଯାଇଛି । ଜବତ ହତିଆର ଭିତରୁ ୮୦ ଭାଗ ମୈତେୟି ଇଲାକାରୁ ଓ ୨୦ ଭାଗ କୁକି ଇଲାକାରୁ ଲୁଟ କରାଯାଇଥିଲା ।
ମୈତେୟି ଓ କୁକି ଗୋଷ୍ଠୀ ବିବାଦ ଏବେ କେନ୍ଦ୍ର ଓ ରାଜ୍ୟକୁ ବଦଳି ଯାଇଛି । ପାହାଡ଼ ଉପରେ ବସବାସ କରୁଥିବା କୁକି ଗୋଷ୍ଠୀ କହୁଛନ୍ତି ଯେ ଆସାମ ରାଇଫଲ୍ସ ତାଙ୍କୁ ସମର୍ଥନ କରୁଥିଲା ବେଳେ ରାଜ୍ୟ ପୁଲିସ ତାଙ୍କ ବିପକ୍ଷରେ ଅଛନ୍ତି । ପାହାଡ଼ର ପାଦଦେଶରେ ବସବାସ କରୁଥିବା ମୈତେୟି ଗୋଷ୍ଠୀ ମତରେ ପୁଲିସ ଠିକ କାମ କରୁଛି । ଆସାମ ରାଇଫଲ୍ସ ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ କୁକି ଗୋଷ୍ଠୀକୁ ସମର୍ଥନ କରୁଛି । କୁକି ସ୍ୱତନ୍ତ୍ର ରାଜ୍ୟ ଦାବି କରୁଥିଲା ବେଳେ ଏନଆରସି ଓ କୁକିଙ୍କୁ ତୁରନ୍ତ ଖାଲି କରିବାକୁ ସରକାରଙ୍କ ଉପରେ ଚାପ ପକାଇଛନ୍ତି ମୈତେୟି ।

କୁକି ଗୋଷ୍ଠୀ ଯୋଜନା ମୁତାବକ ମୃତକଙ୍କ ଶବକୁ ଘରକୁ ନେଉନାହାନ୍ତି । ସେମାନେ ପ୍ରଥମେ ସ୍ୱତନ୍ତ୍ର ଶାସନ ଚାହୁଁଛନ୍ତି । ଯୁଆନ ପୁଅକୁ ହରାଇ ବାପା କହୁଛି, ‘ମୁଁ ମୋ ଗୋଷ୍ଠୀର ସ୍ୱାର୍ଥ ପାଇଁ ପୁଅକୁ ଉତ୍ସର୍ଗ କରିଦେଇଛି । ଆମ ଦାବି ପୂରଣ ହେବା ପରେ ପୁଅର ଅନ୍ତିମ ସଂସ୍କାର କରିବି ।’ ଦାବି ପୂରଣ କରାଯିବା ପରେ କୁକିମାନେ ମୃତଦେହକୁ ସମ୍ମାନର ସହ ଘରକୁ ନେଇ ସଂସ୍କାର କରିବେ ବୋଲି କହିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଉକ୍ତ ବାରତା ପହଂଚାଇ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ବିରେନ ସିଂହ ଯୋଉ ୪୦ ଜଣ ଆତଙ୍କୀଙ୍କୁ ମାରି ଦିଆଯାଇଥିବା କଥା କହୁଛନ୍ତି । ସେ ସଂପର୍କରେ ବାସ୍ତବ ତଥ୍ୟ ପୁଲିସ ନିକଟରେ ନାହିଁ । କୋଉମାନଙ୍କୁ ମରାଯାଇଛି? ପୁଲିସ ଅଧିକାରୀ ଜାଣନ୍ତି ନାହିଁ । ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଲୋକମାନେ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବାର ଲେଶ ମାତ୍ର ପ୍ରମାଣ ସରକାରଙ୍କ ନିକଟରେ ନାହିଁ ।