ନବୀନଙ୍କୁ ମଦପାଣି ପିଆଇ ବିଜୁଳି ଲୁଟୁଥିଲା ବେଦାନ୍ତ

ହନୁମଲା ବେଳକୁ ସତ କହିଲା ପରି..

ଭୁବନେଶ୍ୱର: ତାଙ୍କ ଅନୁମତିରେ ଶ୍ରୀକ୍ଷେତ୍ର ମଉଡ଼ମଣି ମହାପ୍ରଭୁ ଜଗନ୍ନାଥ ଉପାସ ରହୁଛନ୍ତି । ଓଇଆରସି ଏତେବଡ଼ ଭୁଲ କରିଦେବ? ହନୁମଲା ବେଳକୁ ସତ କହିଲା ପରି ନିର୍ବାଚନ ପାଖେଇ ଆସୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଚରିତ୍ର ସୁଧାରିଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସୁହାଇଲା ଭଳି ଗଠନ କରାଯାଇଥିଲା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବେଦାନ୍ତ ପ୍ରେମକୁ ପ୍ରାଥମିକତା ଦେଇ ଓଇଆରସିର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା ରାଜ୍ୟବାସୀଙ୍କ ପ୍ରତି ଅବିଚାର କରିଥିଲେ । ଉପେନ୍ଦ୍ରଙ୍କ ଗଳାବାଟର ସୁଯୋଗ ପାଇ ବେଦାନ୍ତ ବେଶ କିଛି ବର୍ଷ ଧରି ବିଜୁଳି ଚୋରି କରୁଥିଲା । ଅବଶେଷରେ ଓଇଆରସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଜରିଆରେ ନବୀନ ପଟ୍ଟନାୟକ ବେଦାନ୍ତର ବିଜୁଳି ଚୋରିକୁ ବନ୍ଦ କରିଛନ୍ତି ।

ନବୀନବାବୁ ବେଦାନ୍ତର ବିଜୁଳି ଚୋରିକୁ ସିନା ବନ୍ଦ କରିଦେଲେ, ମାତ୍ର ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ରକ୍ତ ଝୁଣିବା ପାଇଁ ଟାଟା ପାୱାରକୁ ଅନୁମତି ଦେଇଛନ୍ତି । ୨୦୨୧ ଅକ୍ଟୋବର ୫ ତାରିଖରେ ବେଦାନ୍ତକୁ ସୁହାଇବା ଭଳି ରାୟକୁ ଏବେ ସଂଶୋଧନ କରିଛନ୍ତି ।

ସଂଶୋଧିତ ରାୟ ଅନୁସାରେ ୨୦୧୨ରେ ହୋଇଥିବା ବିଜୁଳି କିଣା ରାଜିନାମା ଅନୁସାରେ ବେଦାନ୍ତ ଗ୍ରୀଡକୋକୁ ଧାର୍ଯ୍ୟ କୋଟା ମୁତାବକ ବାର୍ଷିକ ୬୧୨ ମେଗାୱାଟ ବିଜୁଳି ଯୋଗାଇବାକୁ ବାଧ୍ୟ ହେବ । ଫଳରେ ଲୋକଙ୍କ ଦୃଷ୍ଟିରେ ଆଦର୍ଶ ବୋଲାଉଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଇଆରସି ବେଦାନ୍ତକୁ ଲାଭ ବାବଦକୁ ଟେକି ଦେଉଥିବା ବାର୍ଷିକ ୧୨୫୦ କୋଟି ଟଙ୍କା ଏବେ ଅଟକି ଯାଇଛି ।

ଏଠାରେ ଜଣାଇ ଦିଆଯାଉଛି, ୨୦୦୬ ଜୁନ ୨୯ ତାରିଖରେ ବେଦାନ୍ତ କଂପାନୀ ଝାରସୁଗୁଡ଼ାରେ ୬୦୦ ମେଗାୱାଟ କ୍ଷମତା ସଂପନ୍ନ ଚାରିଟି ୟୁନିଟ୍‌ ପ୍ରତିଷ୍ଠା କରିଥିଲା । ଚାରିଟି ୟୁନିଟରୁ ମୋଟ ୨୪୦୦ ମେଗାୱାଟ୍‌ ତାପଜ ବିଜୁଳି ଉତ୍ପାଦନ ହେଲା । ଉକ୍ତ ୟୁନିଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପେଟକୁ ନାତ ମାରି କଂପାନୀକୁ ମାମୁଲି ମୂଲ୍ୟରେ ଜମି, ପାଣି, କୋଇଲା, ଜଙ୍ଗଲ ଟେକିଦେଲେ । କଥା ଥିଲା, ୨୪୦୦ ମେଗାୱାଟର ୮୫ ଭାଗ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ ।

୨୦୧୨ରେ ବେଦାନ୍ତ ସହ ରାଜ୍ୟ ସରକାର ଯେଉଁ ବିଜୁଳି ଯୋଗାଣ ରାଜିନାମା କରିଥିଲେ । ୨୦୧୩ରେ ତାକୁ ସଂଶୋଧନ କରି ଓଇଆରସି ସ୍ପଷ୍ଟ କରି ଦେଇଥିଲା ଯେ ଅନ୍ତତଃ ପକ୍ଷେ ବେଦାନ୍ତର ଗୋଟିଏ ୟୁନିଟ୍‌ ରାଜ୍ୟବାସୀଙ୍କ ସେବାରେ ସମର୍ପିତ ରହିବ ।

ମାତ୍ର ପରେ ଦେଖିବାକୁ ମିଳିଥିଲା ଯେ ରାଜିନାମା ମୁତାବକ ବେଦାନ୍ତ କେବେ ଗ୍ରୀଡକୋକୁ ଧାର୍ଯ୍ୟ ପରିମାଣର ବିଜୁଳି ପ୍ରଦାନ କରି ନଥିଲା । ଧାର୍ଯ୍ୟ ମୁତାବକ ବିଜୁଳି ନପାଇ ଗ୍ରୀଡକୋ ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣି ନିରବ ରହିଲେ । ମୁଖ୍ୟମନ୍ତ୍ରୀ ନିରବ ରହିବାର ଦେଖି ଗ୍ରୀଡକୋ ନିରବ ରହିଲା । ବିଦ୍ୟୁତ ଶୁଳ୍କ ଧାର୍ଯ୍ୟ ପାଇଁ ଜନଶୁଣାଣି ସମୟରେ ଓଇଆରସି ବେଦାନ୍ତର ଦୋଷକୁ ଧରିଲେ ମଧ୍ୟ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଗେହ୍ଲାପୁଅ ଅନୀଲ ଅଗ୍ରୱାଲ ବିରୋଧରେ ସେଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି ।

ସୁଯୋଗକୁ ହାତ ପାଆନ୍ତାରେ ପାଇ ବେଦାନ୍ତ ତା’ର ଆଲୁମିନା କାରଖାନା ପାଇଁ ଅଧିକ ବିଜୁଳି ଆବଶ୍ୟକତା ପଡୁଛି ଦର୍ଶାଇ ରାଜ୍ୟ ସରକାରଙ୍କ ପାଇଁ ଉତ୍ସର୍ଗ କରିଥିବା ୟୁନିଟ ସମେତ ସବୁ ୟୁନିଟକୁ ଆଲୁମିନା କାମରେ ଲଗାଇବା ଲକ୍ଷ୍ୟରେ ଓଇଆରସି ନିକଟରେ ଫେରାଦ ହେଲା ।

ଓଇଆରସିର ତକ୍ରାଳୀନ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନନ୍ଦ ବେଦାନ୍ତ ଆବେଦନକୁ ଭଲ କରି ତର୍ଜମା କରିବା ପରେ ପିପିଏ ଅନୁସାରେ ରାଜ୍ୟ କୋଟାକୁ କମ୍ପାନୀ କାମରେ ଲଗାଇବାକୁ ମନା କରି ୨୦୧୬ ଜାନୁଆରି ୨୭ରେ ଏକ ରାୟ ପ୍ରଦାନ କରିିଥିଲେ । ଏପରିକି ରାଜ୍ୟ କୋଟା ପୂରଣ ନହେଲେ ଅନ୍ୟ ୟୁନିଟରୁ ବିଜୁଳି ଯୋଗାଣ କରିବାକୁ ଉକ୍ତ ରାୟରେ ସ୍ପଷ୍ଟ କରାଯାଇଥିଲା ।

ଆୟୋଗଙ୍କ ସ୍ପଷ୍ଟ ରାୟ ସତ୍ୱେ ବେଦାନ୍ତ ୬ ବର୍ଷ ଧରି ରାଜିନାମା ମୁତାବକ ବିଜୁଳି ଯୋଗାଇଲାନି । ମୋଟ ଉତ୍ପାଦନର ମାତ୍ର ୩୬ ଭାଗ ବିଜୁଳି ରାଜ୍ୟକୁ ଯୋଗାଉଥିଲା । ଏହା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଲିଖିତ ଆଶୀର୍ବାଦ ଥିଲା । ରାଜ୍ୟକୁ ୬୪ ଭାଗ ବିଜୁଳି ଫାଙ୍କିଥିଲା ବେଦାନ୍ତ ଓ ସେ ବାବଦକୁ ବିଜେଡିକୁ ମାଲାମାଲ କରିଥିଲା ।
ବେଦାନ୍ତର ବିଜେଡି ପ୍ରେମକୁ ଦେଖି ଗ୍ରିଡକୋ, ସରକାରୀ ଅଧିକାରୀ ଓ ଓଇଆରସି ନିରବ ରହିଥିଲେ ।
ଗ୍ରିଡକୋ ଅନ୍ୟ ସୂତ୍ରରୁ ବିଜୁଳି କିଣି ଉପଭୋକ୍ତାଙ୍କ ମୁଣ୍ଡରେ ଅଧିକ ଚଡ଼କ ପକାଇଲା । ଉପଭୋକ୍ତାଙ୍କୁ ମୂକଗାଈ ମଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୨୧ରେ ଓଇଆରସି ଅଧ୍ୟକ୍ଷ ଉପେନ୍ଦ୍ର ବେହେରା ବେଦାନ୍ତ ସପକ୍ଷରେ ଏଭଳି ରାୟ ଦେଲେ ତାହା ରାଜ୍ୟରେ ହଇଚଇ ସୃଷ୍ଟି କଲା । ବେଦାନ୍ତରୁ ମିଳୁଥିବା ଶସ୍ତା ବିଜୁଳିକୁ ରାଜ୍ୟ ହାତଛଡ଼ା କରୁଥିବା ବିଷୟ ଉପେନ୍ଦ୍ରଙ୍କ ମୁଣ୍ଡରେ ପଶି ନଥିଲା । ତେଣୁ ଓଲଟା ଯୁକ୍ତି କରିଥିଲେ ଯେ ବେଦାନ୍ତରୁ ବିଜୁଳି ନଆଣିଲେ ମଧ୍ୟ ଗ୍ରିଡକୋର କିଛି କ୍ଷତି ହେବନି । ରାୟଟି ବେଦାନ୍ତକୁ ସୁହାଇଲା ।

୨୦୨୧ ଡିସେମ୍ବରରେ ଗ୍ରିଡକୋ ଉପେନ୍ଦ୍ରଙ୍କ ରାୟର ପୁନଃସମୀକ୍ଷା ପାଇଁ ଓଇଆରସିଙ୍କ ଦ୍ୱାରସ୍ଥ ହେଲା । କାଳବିଳମ୍ବ ନକରିି ବେଦାନ୍ତ ଆୟୋଗଙ୍କ ବିରୋଧରେ ଆପିଲେଟ୍‌ ଟ୍ରିବୁନାଲକୁ ଯାଇଥିଲା । ଟ୍ରିବୁନାଲଠାରୁ ନୋଟିସ ପାଇବା ପରେ ଆୟୋଗ ୨୦୨୧ ଅକ୍ଟୋବର ୫ ତାରିଖ ରାୟର ଭୁଲକୁ ଦର୍ଶାଇ ତାକୁ ରଦ୍ଦ କରିଛନ୍ତି । ଏବେ ବେଦାନ୍ତ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରଣାପନ୍ନ ହୋଇଛି । ଦେଖାଯାଉ କୋଉ ପାଣି କୁଆଡ଼କୁ ଯାଉଛି ।