ପ୍ରଧାନ ବିଚାରପତି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଆସିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁସାରେ, ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଆସନ୍ତାକାଲି ସନ୍ଧ୍ୟା ୭ଟା ୫୫ ମିନିଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ହୋଟେଲ ମେ’ଫେୟାର ଯାଇ ରାତ୍ରିଯାପନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଶନିବାର ସକାଳୁ ପୁରୀ ଯିବେ ।

ଏହାପରେ ଦିନରେ ସେ ଜୁଡିସିଆଲ କାର୍ଯ୍ୟକ୍ରମରେ ସାମିଲ ହୋଇ ସନ୍ଧ୍ୟା ୬ଟା ୪୦ମିନିଟରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡ଼ିଛି। ପ୍ରଧାନ ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଏହି ବୈଠକରେ ପୁଲିସ ଡିଜିଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।