୨୭ ସେପ୍ଟେମ୍ବର ଭାରତ ବନ୍ଦଙ୍କୁ ସମର୍ଥନ ଘୋଷଣା

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆର୍ଥିକ ନୀତି ଏବଂ ବିଦ୍ୱେଷ ଓ ବିଭାଜନର ରାଜନୀତି ସାଂଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି ବିରୋଧରେ ୧୭ଦଫା ଦାବିରେ ଆଜି ମାଷ୍ଟର କ୍ୟାଂଟିନ ଛକରେ ୭ଟି ଦଳର ରାଜ୍ୟସ୍ତରୀ ମିଳିତ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏଠାରେ ଆୟୋଜିତ ପ୍ରତିବାଦ ସଭାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସିପିଆଇଏମର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇର ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ସମାଜବାଦୀପାର୍ଟି ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ସିପିଆଇ ଏମଏଲ (ରେଡଫ୍ଲାଗ)ର ନେତ୍ରୀ ପ୍ରମିଳା ବେହେରା ଏବଂ ଏନ୍‌ସିପି ରାଜ୍ୟ ସାଧାରଣ ସଂପାଦକ ବିକ୍ରମ ସ୍ୱାଇଁ ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳି ପରିଚାଳନା କରିଥିଲେ ।

କଂଗ୍ରେସ ନେତା ଯଜେ୍ଞଶ୍ୱର ପ୍ରତିବାଦ ଧାରଣା ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ଦେବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋଦି ସରକାରର ବିନାଶକାରୀ ନୀତିର କଠୋର ସମାଲୋଚନା କରି ଗତ ୭୦ ବର୍ଷରେ ଏ ଦେଶରେ ନିର୍ମିତ ହୋଇଥିବା ସରକାରୀ ସଂପତି ଓ ସଂସ୍ଥାନ ଗୁଡିକୁ ଘରୋଇ ବ୍ୟବସାୟୀଙ୍କ ହାତରେ ଶାଗମାଛ ମୂଲ୍ୟରେ ବିକିଦେବା ବିରୋଧରେ ସମସ୍ତ ଗଣତନ୍ତ୍ର ଓ ଦେଶପ୍ରେମୀ ରାଜନୈତିକ ଦଳ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ମୋଦି ସରକାରର ସଖି କଣ୍ଢେଇ ସାଜି କେନ୍ଦ୍ରର ସମସ୍ତ ଜନବିରୋଧି ନୀତିଗୁଡ଼ିକୁ ନିସର୍ତ ସମର୍ଥନ ଜ୍ଞାପନ କରୁଥିବା ବେଳେ ରାଜ୍ୟରେ ବିଭିନ୍ନ ଜନସ୍ୱାର୍ଥ ନୀତି ପ୍ରଚଳନ କରୁଥିବାର ଏହା ବିରୋଧରେ ଗଣ ଆନ୍ଦୋଳନ ଗଢ଼ି ତୋଳିବା ଜରୁରୀ ବୋଲି କହିଥିଲେ । କଳାକୃଷି ଆଇନ ବିରୋଧରେ ଦେଶତମାମ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ମୋଦି ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦକୁ ରାଜ୍ୟବାସୀ ସମର୍ଥନ କରିବାକୁ ନିବେଦନ କରିଥିଲେ । ଏଆଇସିସି ସଂପାଦକ ରୁଦ୍ର ରାଜୁ ମଧ୍ୟ ଦେଶର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବା ସାଂପ୍ରଦାୟୀକ ଦଳଗୁଡ଼ିକର ଗୁପ୍ତ ଏଜେଣ୍ଡା ପ୍ରତି ସର୍ତକ କରିବା ସହ ମିଳିତ ଏବଂ ଐକ୍ୟବଦ୍ଧ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସିପିଏମ ନେତା ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସିପିଆଇ ଏମଏଲ (ରେର୍ଡଷ୍ଟାର) ନେତ୍ରୀ ହେନା ବାରିକ ଏବଂ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ସମାଲୋଚନା କରିଥିଲେ ।

ଏହି ଧାରଣାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ, ସୁଦର୍ଶନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନଦେବ ବେଉରା, ପଦ୍ମାକର ଗୁୁରୁ, ଶମ୍ଭୁ ନାଥ ପାଣିଗ୍ରାହୀ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ରତ୍ନମଣୀ ଉଲ୍ଲାକା, ସ୍ୱାଧୀନ ବାଳା ଦାସ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ଦେବରାଜ ମିଶ୍ର, ଏସ୍‌କେ ଆଫତାବ ଅଲ୍ଳୀ, ମିହିର ଆଚାର୍ଯ୍ୟ, ସୁବ୍ରତ ସେନାପତି, ବ୍ରହ୍ମାନନ୍ଦ ସାହୁ, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋଜ ସାହୁ, ମଂଟୁ ମଲ୍ଲିକ, ଶୁଭ୍ରଜ୍ୟୋତି ଲେଙ୍କା, ସମରେନ୍ଦ୍ର ମହାନ୍ତି, ମାନସ ସେଠୀ, ଲୁଲୁ ଏହମ୍ମଦ, ଇଂ ଶିବନ, ସେକ ନିଆଜୁଲ ଇସଲାମ, ଏମଡି ସାହାଦୁଲ୍ଳା, କୁଳମଣି ସାହୁ, ବାମପନ୍ଥୀ ନେତା ସନ୍ତୋଷ ଦାସ, ଡ. ଅମିୟ ମହାନ୍ତି ଏବଂ ପ୍ରଶାନ୍ତ ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ଭାରତ ବନ୍ଦକୁ ସମର୍ଥନ କରି ଏକ ପ୍ରସ୍ତାବ ମଧ୍ୟ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ଏବଂ ଏହି ବନ୍ଦକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରାଇଥିଲେ ।