ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଶୀତରେ ଥରୁଛି ଓଡ଼ିଶା । ପାରଦ ଖସିବା ଜାଡ଼ ବଢ଼ିବ। ଆସନ୍ତା ତିନି ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ କମିବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଯାଏ କମିଯିବ । ୨୧ ତାରିଖ ଯାଏ ଏହା ଜାରି ରହିବ ।

ରବିବାର ରାଜ୍ୟର ୯ ସହର ୧୨ ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ସେଲ୍‌ସିୟସ୍‌ ସହ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । କେବଳ ଦାରିଙ୍ଗିବାଡ଼ି ନୁହେଁ ସାରା ଫୁଲବାଣୀ ଶୀତରେ ଥରିବାରେ ଲାଗିଛି । ଅନ୍ୟପକ୍ଷରେ ରାଜ୍ୟର ଆଉ ୮ ସହରରେ ତାପମାତ୍ରା ୧୦ ରୁ ୧୧ ଡିଗ୍ରୀ ଭିତରେ ରହିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଓ ଟିଟିଲାଗଡ଼ରେ ତାପମାତ୍ରା ୧୦.୮ ଡିଗ୍ରୀ ରହିଥିବାବେଳେ ସୁନ୍ଦରଗଡ଼ରେ ୧୦, ବଲାଙ୍ଗିରରେ ୯, କୋରାପୁଟ ଓ ଫୁଲବାଣୀରେ ୯.୫, ଝାରସୁଗୁଡ଼ାରେ ୧୧.୨ ଓ ଭବାନୀପାଟଣାରେ ୧୧.୬ ଡିଗ୍ରୀ ରହିଛି । ସେହିପରି କଟକ ସହରରେ ତାପମାତ୍ରା ୧୫ ଡିଗ୍ରୀ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୫.୧ଡିଗ୍ରୀ ରହିଥିବା ସୂଚନା ଦିଆଯାଇଛି । ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ କମ୍‌ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।