କଂଗ୍ରେସ ଦଳ ପକ୍ଷରୁ “ଓଡ଼ିଶା ବନ୍ଦ’କୁ ସମର୍ଥନ ଦେବାପାଇଁ ରାଜ୍ୟବାସୀଙ୍କୁ ବିନମ୍ର ନିବେଦନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସନ୍ତା କାଲି ହେବାକୁ ଥିବା “ଓଡ଼ିଶା ବନ୍ଦ”କୁ ରାଜ୍ୟବାସୀ ତଥା ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ସମର୍ଥନ ଦେବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ମୁଖପାତ୍ର ଡଃ ଦେବାଶିଷ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ନିବେଦନ କରିଛନ୍ତି ।

ରାଜ୍ୟରେ ମା’କୁ ସମ୍ମାନ ଦେବା ନାଁରେ ସରକାରକୁ ଆସିଥିବା ବିଜେଡି ଦଳର ମନ୍ତ୍ରୀ, ନେତାମାନେ ଗତ ୨୨ ବର୍ଷ ମଧ୍ୟରେ ବେବିନା, ଇତିଶ୍ରୀ, ମାଧବୀଲତା ଓ ମମିତା ଭଳି ବହୁ ଦୁଷ୍କର୍ମ ଏବଂ ହତ୍ୟାରେ ଜଡ଼ିତ ଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନ୍ଧ ଧୃତରାଷ୍ଟ୍ରଙ୍କ ଭଳି ମନ୍ତ୍ରୀ, ନେତାମାନଙ୍କୁ ସମର୍ଥନ ଦେଇ ଓଡ଼ିଶାର ଅଗଣିତ ମା’ ଭଉଣୀମାନଙ୍କୁ ଉପହାସ କରିଛନ୍ତି ।

ଗତ ମାସର ମମିତା ମେହେରଙ୍କ ଘଟଣା, ୨୨ ବର୍ଷର ସବୁ ଘଟଣାକୁ ଟପିଯାଇଛି । ମମିତାଙ୍କ ନିର୍ମମ ହତ୍ୟାରେ ସମ୍ପୃକ୍ତ ଥିବା ମନ୍ତ୍ରୀଙ୍କୁ ଗତ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଯେଭଳି ସଭାମଞ୍ଚରେ କୋଳେଇ ଧରି ବସିଲେ, ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

କଂଗ୍ରେସ ଦଳ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲା, ଏହିଭଳି ଜଣେ ହୀନ ମନ୍ତ୍ରୀଙ୍କୁ ସରକାରରୁ ବହିଷ୍କାର କରିବା ପାଇଁ । କିନ୍ତୁ ମୁଖ୍ୟମନ୍ତ୍ରୀ ବହିଷ୍କାର ତ ଦୂରର କଥା, ମନ୍ତ୍ରୀଙ୍କୁ ତାଳିମାରି ଉତ୍ସାହିତ କଲେ । ତା’ର ପ୍ରତିବାଦରେ କଂଗ୍ରେସ ଦଳ ଆସନ୍ତା କାଲି ଅର୍ଥାତ୍‌ ତା ୧୨.୧୧.୨୦୨୧ରିଖ ଶୁକ୍ରବାର ସକାଳ ୬ ଘଣ୍ଟାଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ “ଓଡ଼ିଶା ବନ୍ଦ” ଡାକରା ଦେଇଛି । ଏହି ଦଳକୁ ରାଜ୍ୟବାସୀ ଏବଂ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ ଦେବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ସାଧାରଣ, ମଧ୍ୟବିତ୍ତ ପରିବାର ଓ ଛୋଟ ବ୍ୟବସାୟୀଙ୍କ ହିତ ଦୃଷ୍ଟିରୁ ଏହି ବନ୍ଦକୁ ୬ ଘଣ୍ଟାରେ ସୀମିତ ରଖାଯାଇଛି । ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ । ବନ୍ଦ ସମୟରେ ଜରୁରୀକାଳିନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ ଓ ମୋଟରଯାନକୁ ଯିବାପାଇଁ ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନିମନ୍ତେ ଯିବାପାଇଁ ସୁଯୋଗ ଦିଆଯିବ ବୋଲି କଂଗ୍ରେ ପକ୍ଷରୁ କୁହାଯାଇଛି ।

ଟ୍ରେନ୍‌ ଚଳାଚଳ ବନ୍ଦ ରହିବ । ବସ୍‌, ଟ୍ରକ୍‌ ମାଲିକ ସଂଘ ଓ ଅଟୋଚାଳକ ସଂଘ ଏବଂ ବ୍ୟବସାୟୀ ସଂଘଙ୍କୁ ଏହି ବନ୍ଦରେ ସାମିଲ ହେବାକୁ ନିବେଦନ କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ, ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ମିଡ଼ିଆ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।