ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ CRCC

ରାଜ୍ୟରେ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଧରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ଏହି କ୍ରମରେ ଆଜି ଜଣେ….

ଭୁବନେଶ୍ୱର: ରାଜ୍ୟରେ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଧରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ଏହି କ୍ରମରେ ଆଜି ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଜଣେ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର (ସିଆରସିସି) । ଜଣାପଡ଼ିଛି ଯେ, ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ବିଜାଘାଟି ସେକ୍ସନର ସିଆରସିସି । ଦରମା ସମ୍ପର୍କିତ ରେକର୍ଡକୁ ଅପଡେଟ୍ କରିବା ପାଇଁ ସିଆରସିସି ସମ୍ପୃକ୍ତ ସହକାରୀ ଶିକ୍ଷକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏହାପରେ ଉକ୍ତ ଶିକ୍ଷକ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ପୂର୍ବ ଯୋଜନା ମୁତାବକ, ସିଆରସିସି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଜୟପୁର ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକରେ ଜଣେ ଡିଏସପି, ୨ ଜଣ ଇନ୍ସପେକ୍ଟର, ଜଣେ ଏଏସଆଇଙ୍କୁ ନେଇ ଏକ ୯ ଜଣିଆ ଟିମ୍ ଗଠନ କରାଯାଇଥିଲା । ସିଆରସିସିଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସହ ତାଙ୍କ ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା ।