ସରକାରଙ୍କ ଅଧୀନକୁ ଗଲା ଅର୍ଥତତ୍ୱ ସଂପତି

କଟକ: ଓଡ଼ିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଂଟେରେଷ୍ଟ ଅଫ୍‌ ଡିପୋଜିଟର୍ସ (ଓପିଆଇଡି) କୋର୍ଟ ଅର୍ଥତତ୍ୱ ଗ୍ରୁପର ଯାବତୀୟ ସ୍ଥାବର ଅସ୍ଥାବର ସଂପତିକୁ ବାଜ୍ୟାପ୍ତି କରିବା ପାଇଁ ଆଦେଶ ଶୁଣାଇଛନ୍ତି । କୋର୍ଟରେ ଦାଖଲ କରାଯାଇଥିବା ନଥିପତ୍ର ଅନୁସାରେ ଅର୍ତତତ୍ୱ କମ୍ପାନୀ ମାଲିକାନାରେ ପ୍ରାୟ ୧୧୩ ଏକର ଜମି, ୧୧ଟି ଦାମୀ କାର ଓ ଜମାଖାତାରେ ୨.୧୭ କୋଟି ଟଙ୍କା ରହିଛି । ଭୁବନେଶ୍ୱର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ପୁରୀ ଓ ଅନୁଗୁଳରେ ଅର୍ଥତତ୍ୱ ଜମି ରହିଛି ।

୨୦୦୯ରୁ ୨୦୧୨ ମସିହା ଭିତରେ ନିବେଶକଙ୍କ ନିକଟରୁ ପ୍ରାୟ ୬୦୦ କୋଟି ଟଙ୍କା ହଡ଼ପ କରିଥିଲା ଅର୍ଥତତ୍ୱ କମ୍ପାନୀ । ଅର୍ଥତତ୍ୱ ଗ୍ରୁପର ଠକାମି ସାମ୍ନାକୁ ଆସିବା ପରେ ନିବେଶକମାନେ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ ।

ଅର୍ଥତତ୍ୱ ଗ୍ରୁପ ବିରୋଧରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ପ୍ରଥମ ଅଭିଯୋଗ କରିଥିଲେ ଅବସରପ୍ରାପ୍ତ ଡିଆଇଜି । ଅଭିଯୋଗ ଅନୁସାରେ କମ୍ପାନୀ ଅବସରପ୍ରାପ୍ତ ଡିଆଇଜିଙ୍କ ନିକଟରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଠକି ନେଇଥିଲା । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠି ଦୀର୍ଘ ୧୦ ବର୍ଷ ଧରି ଜେଲରେ ଅଛନ୍ତି ।