ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା-୨୦୨୨

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ୨୦୨୨ ମସିହା ପାଇଁ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସଂଶୋଧନ ସମୟରେ ୯ ଲକ୍ଷ ୫୦ ହଜାର, ୭୮୯ ଜଣ ନୂଆ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩ ଲକ୍ଷ ୪୪ ହଜାର ୯୪୪ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି। ୩ ଲକ୍ଷ ୮୨ ହଜାର ୬୦୧ ଜଣଙ୍କ ତ୍ରୁଟି ସଂଶୋଧନ କରାଯାଇଛି।

ଚଳିତ ବର୍ଷ (୨୦୨୨) ଭାରତ ନିର୍ବାଚନ ଆୟୋଗ ସମସ୍ତ ଭୋଟରଙ୍କୁ ସଂପୂର୍ଣ୍ଣ ମାଗଣାରେ ସ୍ପୀଡ୍ ପୋଷ୍ଟ୍ ମାଧ୍ୟମରେ ଫଟୋ ପରିଚୟ ପତ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ / ରାଜ୍ୟ ସ୍ତରର ସମସ୍ତ ରାଜନୈତିକ ଦଳ ମାନଙ୍କୁ ବିନା ମୂଲ୍ୟରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଚଳିତ ବର୍ଷର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ ରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ମଧ୍ୟ ଆଜି ଠାରୁ ଉପଲବ୍ଧ ହୋଇପାରିବ । ସମସ୍ତ ଭୋଟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ www.ceoorissa.nic.in ରେ ତନଖି କରି ପାରିବେ । ଏହା ବ୍ୟତୀତ ଚଳିତ ଚୂଡାନ୍ତ ଭୋଟର ତାଲିକାରେ ଯଦି କୌଣସି ଭୋଟରଙ୍କ ତୃଟି ବିଚ୍ୟୁତି ଥାଏ ତାହେଲେ ସେମାନେ ତ୍ରୁଟି ସଂଶୋଧନ ନିମନ୍ତେ ପୂର୍ବଭଳି ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଯାହାକି ଧାରାବାହିକ ସଂଶୋଧନ ପ୍ରକ୍ରିୟାରେ କରାଯାଇପାରିବ । ଭୋଟର ମାନେ ଚାହିଁଲେ www.nvsp.in କୁ ଯାଇ ଏକକ ମୋବାଇଲ୍ ମାଧ୍ୟମରେ ସେମାନଙ୍କର E-EPIC ମଧ୍ୟ ଡାଉନଲୋଡ୍ କରି ନିଜ ମୋବାଇଲରେ ରଖି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।