ରାଜ୍ୟ ସମବାୟ ଉନ୍ନୟନ କମିଟିର ପ୍ରଥମ ବୈଠକ ଲୋକାଭିମୁଖୀ

ଭୁବନେଶ୍ୱର: ରାଜ୍ୟ ସମବାୟ ଉନ୍ନୟନ କମିଟିର ପ୍ରଥମ ବୈଠକ ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା କୃଷି ସମବାୟ ସମିତି ଗୁଡିକର ବ୍ୟବସାୟରେ ବିବିଧତା ଆଣି ସେମାନଙ୍କୁ ବହୁମୁଖୀ ସମବାୟ ସମିତିରେ ପରିଣତ କରିବା ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଯେପରି ପ୍ୟାକ୍ସ, ପ୍ରାଥମିକ ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି ରହୁଥିବ, ତାହା ସୁନିଶ୍ଚିତ କରିବା ଏହି କମିଟିର ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ୟାକ୍ସଗୁଡିକର କମ୍ପ୍ୟୁଟରୀକରଣ, ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ଼ କରିବା, ସମବାୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଚିହ୍ନଟ, ଜିଇଏମ୍ ପୋର୍ଟାଲରେ ବୃହତ ସମବାୟ ସମିତିଗୁଡିକ ସାମିଲ ହେବା ସମ୍ବନ୍ଧରେ ଏହି ବୈଠକରରେ ଆଲୋଚନା ହୋଇଥିଲା।

ତିନୋଟି ନୂତନ ବହୁ-ରାଜ୍ୟ ସମବାୟ ସମିତି – ଜାତୀୟ ରପ୍ତାନି ସମବାୟ, ଜୈବିକ କୃଷି ପାଇଁ ଜାତୀୟ ସମବାୟ ଏବଂ ଜାତୀୟ ବିହନ ସମବାୟରେ ପ୍ରାଥମିକ, କେନ୍ଦ୍ରୀୟ ଏବଂ ସର୍ବୋଚ୍ଚ ସମବାୟର ସଦସ୍ୟତାକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ଚିନି କଳଗୁଡ଼ିକର ପୁନରୁଦ୍ଧାର ସଂପର୍କରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ସିଜିଏମ୍ ନାବାର୍ଡ, ଏନସିଡିସି, ଏନଡିଡିବି ଓ ଫିସଫେଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା ନିଆ ଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ଭାବେ ଲୋକାଭିମୁଖୀ ପଦକ୍ଷେପ,ମାତ୍ର ସମବାୟ ସମିତି ଗୁଡିକୁ ଦୁର୍ନୀତି ମୁକ୍ତ କରିପାରିଲେ ସାଧାରଣ କୃଷକ ଟିଏ ନିଶ୍ଚିତ ଭାବେ ଅଧିକ ଲାଭବାନ ହୋଇପାରିବ,ଏଥିପାଇଁ ସମବାୟ ସମିତି ଗୁଡିକୁ RTI ଅନ୍ତର୍ଭୁକ୍ତ କରିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି, ଯାହାଦ୍ୱାରା ଚାଷୀ ଉପଯୁକ୍ତ ତଥ୍ୟ ପାଇପାରିବେ ।