ଐତିହାସିକ ‘ଅଳକା ଆଶ୍ରମ ପୁନରୁଦ୍ଧାର ପ୍ରକଳ୍ପ’ର ଭିତ୍ତିପ୍ରସ୍ତର

ଜଗତସିଂହପୁର : ମହାନ ସ୍ୱାଧୀନତା ସଂଗ୍ରାମୀ, ସଂଗ୍ରାମୀଙ୍କ ଦାୟାଦ, ଗାନ୍ଧିବାଦୀ ବ୍ୟକ୍ତିତ୍ୱ, ଛାତ୍ରଛାତ୍ରୀ ଓ ଜଗତସିଂହପୁରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଓଡ଼ିଶାର ସାବରମତୀ ଆଶ୍ରମ ଭାବରେ ଖ୍ୟାତ ଐତିହାସିକ ‘ଅଳକା ଆଶ୍ରମ ପୁନରୁଦ୍ଧାର ପ୍ରକଳ୍ପ’ର ଭିତ୍ତିପ୍ରସ୍ତର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାତି ଧୀରେନ୍ଦ୍ର ଦାସଙ୍କ କରକମଳରେ ସ୍ଥାପିତ ହୋଇଯାଇଛି ।

ଠିକ୍‌ ସେହି ସ୍ଥାନରେ ପ୍ରକଳ୍ପର ଶୁଭ ଦିଆଯାଇଛି ଯେଉଁଠି ଶହେବର୍ଷ ତଳେ ଉତ୍କଳମଣି ଶିଳାନ୍ୟାସ କରିଥିଲେ । ଦିନେ ସଂଗ୍ରାମୀଙ୍କ ତାଲିମକେନ୍ଦ୍ର, ରଚନାତ୍ମକ କାର୍ଯ୍ୟକ୍ରମର ପ୍ରୟୋଗଶାଳା ଥିବା ‘ଅଳକା ଆଶ୍ରମ’ର ପୁନରୁଦ୍ଧାର ପାଇଁ ଅଦ୍ୱିତୀୟ ସଂଗ୍ରାମୀ ଭାଗୀରଥି ମହାପାତ୍ର ଓ ସରଳା ଦେବୀଙ୍କ ନାତି ଲକ୍ଷ୍ମୀପ୍ରକାଶ ମହାପାତ୍ର, ନାତୁଣୀ ବୋହୂ କବିତା ମହାପାତ୍ର ଏବଂ ତାଙ୍କର ପରିବାର ଯେଉଁ ଉଦ୍ୟମ କରିଛନ୍ତି ତାହା ପ୍ରେରଣାଦାୟୀ । ପୁଣିଥରେ ଚାଟରା ଜମିଦାର ପରିବାର ଜମିଦାନ କରି ଇତିହାସର ପୁନରାବୃତ୍ତି କରିଛନ୍ତି ।