୨ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀ ମନ୍ଦିର ରେ ସାଧାରଣ ଦର୍ଶନ

ପୁରୀ: ଶନିବାର ଅର୍ଥାତ୍ ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ତେଣୁ ତାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ୨ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହାମହିମ ରାଷ୍ଟ୍ରପତି ଆଜି ଅପରାହ୍ନ ୩ଟା ୩୫ରେ ପୁରୀରେ ହେଲିପ୍ୟାଡ୍ ରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ରାଜଭବନକୁ ଯିବେ । ସେଠାରେ ସେ କିଛି ସମୟ ବିଶ୍ରାମ ନେବାପରେ ଅପରାହ୍ନ ୪.୫୦ରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ।

ଅପରାହ୍ନ ୫ଟା ୪୫ ପର୍ୟ୍ୟନ୍ତ ସେ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ୬ଟା ଯାଏ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିରରୁ ଫେରିବା ପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ରାଜଭବନ ଫେରିଯାଇ ସେଠାରେ ରାତ୍ରିଯାପନ କରିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି ।