ଟି-୨୦ ଶୃଙ୍ଖଳା ଜିତିଲା ଭାରତ

କଲକାତା : ଭାରତୀୟ ଟିମ୍ ରୋମାଞ୍ଚକ ସ୍ଥିତିରେ ପହଞ୍ଚି ୨ୟ ଟି-୨୦ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌କୁ ଶୁକ୍ରବାର ୮ ରନ୍‌ରେ ପରାସ୍ତ କରିଛି । ଶେଷ ଓଭରରେ ୪ଟି ବଲରେ ୪ଟି ଛକା ଦରକାର ଥିଲା । କିନ୍ତୁ ହର୍ଷଲ ପଟେଲଙ୍କ ଉପରେ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରାଭମେନ୍ ପାୱେଲେ ଓ କିରଣ ପୋଲାର୍ଡ ନିଜର ସାଥୀ କାଲୋର୍ସ ବ୍ରାଥୱେଟ୍ ଆବଶ୍ୟକ ରନ୍ ପୂରଣ କରିପାରି ନଥିଲେ । ଫଳରେ ଟିମ୍ ଇଣ୍ଡିଆ ୮ ରନ୍‌ରେ ଏହି ମ୍ୟାଚ୍‌କୁ ଜିତିଛି ।

ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି କୋହଲି ଓ ପନ୍ତ୍‌ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୮୬ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍‌ ଦଳ ନିକୋଲାସ୍‌ ପୁରନ୍‌ ଓ ରୋଭମ୍ୟାନ୍‌ ପାୱେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ବେ ୩ ୱିକେଟ୍‌ ହରାଇ ୧୭୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।

ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ ତରଫରୁ ଅଧିନାୟକ ରୋହିତ ଶର୍ମା ଓ ଈଶାନ କିଷନ୍‌ ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ଦଳର ସ୍କୋର ମାତ୍ର ୧୦ ରନ୍‌ ହୋଇଥିବା ବେଳେ ଈଶାନ୍‌ କିଷନ ବ୍ୟକ୍ତିଗତ ଭାବେ ୨ ରନ୍‌ କରି ଆଉଟ୍‌ ହୋଇଥିଲେ। ପ୍ରଥମ ୱିକେଟ୍‌ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଓ ରୋହିତ ଶର୍ମା ନିଜ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ଖେଳିବା ସହ ଦଳର ସ୍କୋରକୁ ୫୯ ରନ୍‌ରେ ପହଞ୍ଚାଇଥିଲେ। ଏହି ସ୍କୋରରେ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୮ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୯ ରନ୍ କରି ଆଉଟ୍‌ ହୋଇଥିଲେ। ରୋହିତଙ୍କ ୱିକେଟ୍ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ ନିମନ୍ତେ ମାତ୍ର ୧୩ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୭୨ ରନ୍‌ ହୋଇଥିବା ବେଳେ ସୂର୍ଯ୍ୟକୁମାର ବ୍ୟକ୍ତିଗତ ଭାବେ ୬ଟି ବଲ୍‌ରୁ ୧ଟି ଚୌକା ସହାୟତାରେ ୮ ରନ୍ କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଆଉଟ୍‌ ହେବା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଋଷଭ ପନ୍ତ୍‌ ଚିରାଚରିତ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରି ଦେଇଥିଲେ। ତେବେ ଦଳର ସ୍କୋର ୧୦୬ ରନ୍‌ ହୋଇଥିବା ବେଳେ କୋହଲି ବ୍ୟକ୍ତିଗତ ଭାବେ ୪୧ଟି ବଲ୍‌ରୁ ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୨ ରନ୍‌ କରି ଆଉଟ୍‌ ହୋଇଥିଲେ। କୋହଲି ଆଉଟ୍ ହେବା ପରେ ଋଷଭ ପନ୍ତ୍‌ ଓ ଭେଙ୍କଟେଶ ଆୟାର ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ। ୫ମ ୱିକେଟ୍‌ ନିମନ୍ତେ ପନ୍ତ୍‌ ଓ ଆୟାରଙ୍କ ମଧ୍ୟରେ ୭୬ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୧୮୨ ରନ୍‌ ହୋଇଥିବା ବେଳେ ଆୟାର୍‌ ବ୍ୟକ୍ତିଗତ ଭାବେ ମାତ୍ର ୧୮ଟି ବଲ୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୩ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପନ୍ତ୍‌ ୨୮ଟି ବଲ୍‌ରୁ ୭ଟି ଚୌକା ଓ ୧ଟି ଛକା ସହାୟତାରେ ୫୨ ଓ ହର୍ଷଲ ପଟେଲ୍‌ ୧ ରନ୍‌ କରି ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ୍‌ ବୋଲର ରୋଷ୍ଟନ୍‌ ଚେଜ୍‌ ୩ଟି ୱିକେଟ୍ ହାସଲ କରିଥିବା ବେଳେ ସେଲ୍‌ଡନ୍‌ କଟ୍ରେଲ୍‌ ଓ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ୱେଷ୍ଟଇଣ୍ଡିଜ୍‌ ଦଳ ୨୦ ଓଭରରେ ୩ ୱିକେଟ୍‌ ହରାଇ ୧୭୮ ରନ୍ କରିଥିଲା। ଦଳ ତରଫରୁ କିଙ୍ଗସ୍‌ ଓ ମେୟର୍ସ ବ୍ୟାଟିଂ ଓପନ୍‌ କରିଥିଲେ। ଉଭୟ ଓପନର୍‌ ପ୍ରଥମ ୱିକେଟ୍‌ ନିମନ୍ତେ ୩୪ ରନ୍‌ ସଂଗ୍ରହ କରିଥିଲେ। ଏହି ସ୍କୋରରେ ମେୟର୍ସ ବ୍ୟକ୍ତିଗତ ଭାବେ ୧୦ଟି ବଲ୍‌ରୁ ଗୋଟିଏ ଚୌକା ସହାୟତାରେ ୯ ରନ୍‌ କରି ଚହଲ୍‌ଙ୍କ ଦ୍ବାରା କ୍ୟାଚ୍‌ ଓ ବୋଲଡ୍ ହୋଇଥିଲେ। ପ୍ରଥମ ୱିକେଟ୍ ପତନ ପରେ ବ୍ୟାଟିଂ କରିବାକୁ ଆସିଥିଲେ ନିକୋଲାସ୍‌ ପୁରନ। ପୁରନ୍‌ ଓ କିଙ୍ଗ୍‌ ଦଳର ସ୍କୋରକୁ ୫୯ ରନ୍‌ରେ ପହଞ୍ଚାଇଥିଲେ। ଏହି ସ୍କୋରରେ କିଙ୍ଗ୍‌ ବ୍ୟକ୍ତିଗତ ଭାବେ ୩୦ଟି ବଲ୍‌ରୁ ୨ଟି ଚୌକା ସହାୟତାରେ ୨୨ ରନ୍‌ କରି ରବି ବିଷ୍ଣୋଇଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସହଳ ୨ଟି ୱିକେଟ୍‌ ହରାଇବା ପରେ ୱେଷ୍ଟଇଣ୍ଡିଜ୍‌ ତରଫରୁ ପୁରନ ଓ ରୋଭମ୍ୟାନ୍‌ ପାୱେଲ୍‌ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଉଭୟ ବ୍ୟାଟସମ୍ୟାନ୍‌ ଉଚ୍ଚକୋଟିର ପ୍ରଦର୍ଶନ କରି ଏକଦା ୱେଷ୍ଟଇଣ୍ଡିଜ୍‌କୁ ବିଜୟର ନିକଟତର କରାଇଥିଲେ। ତେବେ ୧୮.୩ ଓଭରରେ ଦଳର ସ୍କୋର ୧୫୯ ରନ୍‌ ହୋଇଥିବା ବେଳେ ପୁରନ୍‌ ବ୍ୟକ୍ତିଗତ ଭାବେ ୪୧ଟି ବଲ୍‌ରୁ ୫ଟି ଚୌକା ଓ ୩ଟି ଛକା ସହାୟତାରେ ୬୨ ରନ୍‌ କରି ଭୁବନେଶ୍ବର କୁମାରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ସମୟରେ ପାୱେଲ୍‌ ଦଳକୁ ବିଜୟୀ କରାଇବାକୁ ବହୁତ ଚେଷ୍ଟା କରିଥିଲେ। ଶେଷ ଓଭରରେ ପାୱେଲ୍ ବିସ୍ଫୋରକ ବ୍ୟାଟିଂ କରି କ୍ରମାଗତ ଭାବେ ୨ଟି ଛକା ମାରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ।