ମୁଖ୍ୟମନ୍ତ୍ରୀ ସୁସ୍ଥ ଥିବା ଜାଣି ଆମେ ଆନନ୍ଦିତ କିନ୍ତୁ ଗୁଜବ ପଛର ରହସ୍ୟ କ’ଣ ?

ଭୁବନେଶ୍ୱର ତା ୧୮.୨- କିଛି ଦିନର ଅଜ୍ଞାତବାସ ପରେ ମୁଖ୍ୟମନ୍ତ୍ରୀ ଆଜି ପଦାକୁ ଆସିଲେ, ଲିଙ୍ଗରାଜଙ୍କୁ ଦର୍ଶନ କଲେ ଓ ଗଣମାଧ୍ୟମ ସାମନାରେ ନିଜେ ସୁସ୍ଥ ଅଛନ୍ତି ବୋଲି କହିଲେ । ସେ ସୁସ୍ଥ ଅଛନ୍ତି ଜାଣି ଆମେ ଖୁସି ଏବଂ ସୁସ୍ଥ ରହନ୍ତୁ ବୋଲି ଆମର ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା । କିନ୍ତୁ ନିଜେ ସୁସ୍ଥ ଅଛନ୍ତି ବୋଲି କହିବା ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ଚାଲିଛି ବୋଲି ଯେଉଁ ଟିପ୍ପଣୀ ଦେଲେ ତାହା ଆମକୁ ରହସ୍ୟମୟ ଲାଗୁଛି ବୋଲି କଂଗ୍ରେସର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ଟିପ୍ପଣୀ ଦେଇଛନ୍ତି ।

ବାସ୍ତବରେ ଏ ଗୁଜବ କିଏ ଏବଂ କାହିଁକି କରୁଛି ତାହା ତଦନ୍ତ ସାପକ୍ଷ୍ୟ । ଏହା ପୂର୍ବରୁ ଜାନୁଆରୀ ୨୬ ତାରିଖରେ ଏହିଭଳି ଏକ ଗୁଜବକୁ ସେ ଖଣ୍ଡନ କରିବାକୁ ଯାଇ ଭୁବନେଶ୍ୱର ରାଜରାସ୍ତାରେ ଚାଲୁଥିବାର ଆମେ ଦେଖିଥିଲୁ । କିନ୍ତୁ ସେତେବେଳେ ନିର୍ବାଚନ ନଥିଲା । ଏବେ ନିର୍ବାଚନ ଚାଲୁଥିବା ବେଳେ ପୁଣିଥରେ ସେହିଭଳି ଏକ ଗୁଜବର ଅନ୍ତ ଘଟାଇ ସେ ଲିଙ୍ଗରାଜ ମନ୍ଦିରକୁ ଯାଇଥିବାର ଦୃଶ୍ୟ ଓଡ଼ିଶାବାସୀ ଦେଖିଲେ । ମାତ୍ର ଓଡ଼ିଶାବାସୀଙ୍କ ପାଖରେ ରହସ୍ୟ ହୋଇ ରହିଗଲା ଏହି ଗୁଜବ ପଛରେ କାହାର ହାତ ଅଛି । ଏଭଳି ଗୁଜବ ଯେପରି ରହସ୍ୟମୟ ତାକୁ ଖଣ୍ଡନ କରିବା ପାଇଁ କାର୍ଯ୍ୟ ପଦ୍ଧତି ସେହିପରି ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରେ । ମନରେ ପ୍ରଶ୍ନଆସେ ଏସବୁ ନିଜ ଦଳର ପ୍ରାୟୋଜିତ କାର୍ଯ୍ୟ ନୁହେଁକି ।

ଆଜି ଲିଙ୍ଗରାଜ ମନ୍ଦିରକୁ ଗଲାବେଳେ ଗାଡ଼ିରୁ ଓହ୍ଲାଇବା ଚାଲି ଚାଲି ଯିବା, ପାହାଚରେ ତଳକୁ ଯିବା ଏବଂ ଉଠିବା ଇତ୍ୟାଦିକୁ ଅବଲୋକନ କଲେ ଜଣାଯାଏ ବାସ୍ତବରେ ସେ ସଂପୂର୍ଣ୍ଣ ସୁସ୍ଥ ନାହାନ୍ତି । ତାଙ୍କର ଏଭଳି ଅସୁସ୍ଥତା ସମୟରେ ସେ ଭଲ ଅଛନ୍ତି ବୋଲି ତାଙ୍କୁ ଚଲାଇ ଚଲାଇ ନେବା ଦୁଃଖଦାୟକ । ଆମ ମୁଖ୍ୟନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ତଙ୍କର ପ୍ରାଥମିକତା । ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର । ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ଶ୍ରୀ ଦାସ ଏକ ପ୍ରେସବାର୍ତାରେ କହିଛନ୍ତି ।