ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରି

ବିଗତ ଏକ ସପ୍ତାହ ହେବ ସମଗ୍ର ରାଜ୍ୟ ସମେତ ଭୁବନେଶ୍ବରରେ ମଧ୍ୟ ଗ୍ରୀଷ୍ମ ଲହର ଜାରି…..

ଭୁବନେଶ୍ୱର: ବିଗତ ଏକ ସପ୍ତାହ ହେବ ସମଗ୍ର ରାଜ୍ୟ ସମେତ ଭୁବନେଶ୍ବରରେ ମଧ୍ୟ ଗ୍ରୀଷ୍ମ ଲହର ଜାରି ରହିଛି। ପ୍ରବଳ ଖରା ସହିତ ଗରମ ଯୋଗୁଁ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛ ଯେ, କଟକରେ ୪୦.୧ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି।  ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଭୁବନେଶ୍ବରରେ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୨୦୧୧ ପରଠାରୁ ଏପ୍ରିଲ ମାସରେ ଏହାା ତୃତୀୟ ସ‌ର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ବରରେ ତାପମାତ୍ରା ୪୫.୮ ଡିଗ୍ରି ରେକର୍ଡ ହୋଇଥିଲା। ୨୦୧୯ ଏପ୍ରିଲ ୧୬ରେ ଏଠାକାର ତାପମାତ୍ରା ୪୩.୭ ଡିଗ୍ରି ଥିଲା।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଆଧାରରେ ଏସ୍‌ଆରସି ପକ୍ଷରୁ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଂଜ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖଯାଇଛି।  ଆଇଏମ୍‌ଡି ପକ୍ଷରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।