ସରିଲା ପିିପିଲି ଉପନିର୍ବାଚନ ପ୍ରଚାର, ୩୦ରେ ଭେଟ୍‌

ପିପିଲି: ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିଛି ପ୍ରଚାର ଅଭିଯାନ । ପ୍ରତିଶ୍ରୁତି ଓ ପ୍ରଚାରର ପର୍ବ ସରିବା ପରେ ଏବେ ଚଳିତ ମାସ ୩୦ ତାରିଖରେ ହେବାକୁ ଥିବା ମତଦାନ ଉପରେ ସମସ୍ତଙ୍କ ନଜର । ଅନ୍ୟପଟେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍‌ ପୋଲ୍‌କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ୍‌ ବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ୍‌ ଭୋଟ ଫଳାଫଳର ପୂର୍ବାନୁମାନ (ଏକ୍‌ଜିଟ୍‌ ପୋଲ୍‌) ପ୍ରକାଶ ଓ ପ୍ରସାର କରିପାରିବେ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗେଜେଟ୍‌ରେ ଏହି ନିଷେଧାଦେଶ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।