ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ଏଏସଆଇ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌) : ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏଏସଆଇ ରବି ସାହୁ ପଡିଲେ ଭିଜିଲାନ୍ସ ଜାଲରେ । ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଲାଞ୍ଚ ନେଲାବେଳେ ଧରାପଡିଲେ । ନାଁରେ ମାମଲା କରିଦେବାର ଧମକ ଦେଇ ୫ ହଜାର ଲାଞ୍ଚ ନେଉଥିଲେ ।

ସୂଚନା ଅନୁଯାଇ, ମଂଚେଶ୍ୱର ଥାନାର ଏଏସଆଇ ରବି ନାରାୟଣ ସାହୁ ଓରଫ ରବି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଗତକାଲି ମଂଚେଶ୍ୱର ପୋଲିସ ପାଣ୍ଡରା ଅଂଚଳରେ ଚୋରା ମଦ କାରବାର ନେଇ ଚଢାଉ କରିଥିଲା । ଚଢାଉ ବେଳେ ପ୍ରାୟ ୩୦ ହଜାର ଟଙ୍କାର ମଦ ଜବତ କରିଥିଲା । ମାମଲାକୁ ରଫାଦଫା କରିବା ଲାଗି ସେ ଅଭିଯୁକ୍ତଙ୍କ ଠାରୁ ୫ ହଜାର ଟଙ୍କା ଦାବି କରିଥିଲେ । ଏହା ପ୍ରଥମ ଘଟଣା ନୁହେଁ, ବରଂ ବାରମ୍ବାର ଟଙ୍କା ପାଇଁ ମଂଚେଶ୍ୱର ପୋଲିସ ଏଭଳି ବିଭିନ୍ନ ସ୍ଥାନରେ ଚଢାଉ କରି ଅଘୋଷିତ ବଟି ଅସୁଲ କରିଥିଲେ ।

ଯୋଜନା ମୁତାବକ ଆଜି ସେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସର ଏକ ଟିମ ଚଢାଉ କରିଥିଲା । ଚଢାଉ ବେଳେ ଭିଜିଲାନ୍ସ ତାଙ୍କ ନିକଟରୁ ଲାଂଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା । ପରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଘର ଓ ସମ୍ପର୍କୀୟଙ୍କ ଘରେ ଚଢାଉ ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ବେଶ କିଛିଦିନ ହେଲା ମଂଚେଶ୍ୱର ପୋଲିସ ବିରୋଧରେ ଅଭିଯୋଗ ଆସୁଥିଲା । ଥାନାରେ ଲାଂଚ କାରବାର ନେଇ ଲୋକେ ଖୋଲାଖୋଲି କହୁଥିଲେ । ହେଲେ ପ୍ରମାଣ ନଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନଥିଲା । ତେବେ ଏହି ଲାଂଚ କାରବାର ପଛରେ ଥାନାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅଘୋଷିତ ନିର୍ଦ୍ଦେଶ ଥିବା ପୋଲିସ ମହଲରେ ଚର୍ଚ୍ଚା ହେଉଛି । ତେବେ ସେ ଉଚ୍ଚପଦସ୍ଥ ଅଧିକାରୀ ଜଣକ କିଏ? ତାଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ପୋଲିସ କମିଶନର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ଭିଜିଲାନ୍ସର ନଜରରୁ ଥାନା ବର୍ତିବା କଷ୍ଟକର ବୋଲି ଆଲୋଚନା ହେଉଛି ।