ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ସହ ଆଲୋଚନା ବିଷୟରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର : ସାରା ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଏଥିପାଇଁ ଶାସକ ବିଜେପି ଓ ବିରୋଧୀ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ଭୋଟ ସଂଖ୍ୟା ନାହିଁ । ତେଣୁ ବିଜେପି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବାକୁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇ ସାରିଛି ।

ନିକଟରେ ନବୀନ ଦିଲ୍ଲୀ ଗସ୍ତ କରିଥିବା ବେଳେ ସେ ସମୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ସହ ଆଲୋଚନା ବିଷୟରେ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଛି । ଏହି ଗସ୍ତ ଅବସରରେ ମୋଦୀ ପାରାଦୀପ ଗସ୍ତ କରି ପାରାଦୀପ-ହରିଦାସପୁର ରେଳପଥ ପ୍ରକଳ୍ପର ଲୋକାର୍ପଣ କରିବେ । ତେବେ ମୋଦୀଙ୍କ ଗସ୍ତ ନେଇ ସମ୍ଭାବନା ରହିଥିଲେ ମଧ୍ୟ କେବେ ଆସିବେ ତାହା ଚୂଡ଼ାନ୍ତ ହୋଇନାହିଁ ।