୨୮ରୁ ଆରମ୍ଭ ହେବ ଶିଶିର ସରସ ମେଳା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଜାତୀୟ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା ଶିଶିର ସରସ ଆରମ୍ଭ ହେବ । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମାସ୍‌ ଦ୍ୱାରା ଏହି ମେଳା ଆୟୋଜିତ ହେବ । ଏଥିରେ ମିଶନ ଶକ୍ତି, ଖଦୀ ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ, ରୁର୍ବାନ ମିଶନ, ହସ୍ତଶିଳ୍ପ ଓ କୁଟରଶିଳ୍ପ ନିର୍ଦ୍ଧେଶାଳୟ ସହ ଅନ୍ୟ ବିଭାଗୀୟ ସଂସ୍ଥା ସହଯୋଗ କରିବେ ।ପ୍ରତିବର୍ଷ ଭଳି ଏଥର ଶିଶିର ସରସ ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସହ ଅନ୍ୟାନ୍ୟ ଘରକରଣା ଦ୍ରବ୍ୟ, ବନ୍ୟ ଜାତୀୟ ଦ୍ରବ୍ୟ ଆଦି ବିକ୍ରିବଟା ହେବ ।

ଏଥର ଏହି ମେଳାରେ ମୋଟ ୩୦୦ଟି ଷ୍ଟଲ୍‌ ଖୋଲାଯିବାକୁ ଥିବାବେଳେ ଏଥିରେ ୨୦ଟି ରାଜ୍ୟରୁ ବିଭିନ୍ନ ଗୋଷ୍ଠୀ ଓ ସଂସ୍ଥା ମଧ୍ୟ ଅଂଶ ଗ୍ରହଣ କରିବେ ବୋଲି ଏନେଇ ଉରମାସ ପକ୍ଷରୁ ଆୟୋଜିତ ଏକ ବୈଠକରେ ସ୍ପଷ୍ଟ ହୋଇଛି । ଏହି ମେଳା ଦିନ ୧୧ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।