ସାନଭାଇର ଆତ୍ମା ଡାକି ନେଇଗଲା ବଡ଼ଭଉଣୀକୁ!

ତା’ର ମୃତ୍ୟୁ ରହସ୍ୟ ଏବେ ସୁଦ୍ଧା ପୁଲିସ ଖୋଲିପାରିନି……

କୋରାପୁଟ : ସାନଭାଇ ଯୋଉ ସ୍ଥାନରେ ମୃତ୍ୟୁବରଣ କରିଥିଲା । ବଡ଼ ଭଉଣୀ ସେହି ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ‘ସେ ଚାଲିଗଲା, ମୁଁ କାହିଁକି ରହିବି ।’ ଆହା ଭାଇଭଉଣୀଙ୍କ ସମ୍ପର୍କକୁ ଯିଏ ଦେଖିଛି; ସିଏ କାନ୍ଦି ପକାଇଛି । ମାନସିକ ଅବସାଦ ପୁଣି ଏପରି ମରଣ ପାଇଁ ବାଟ ଦେଖାଏ?

କୋରାପୁଟ ଜିଲ୍ଲା ଜୟପୁର ଟାଉନ୍‌ରେ ଘଟଣାଟି ସାରା ରାଜ୍ୟକୁ ଚହଲାଇ ଦେଇଛି । ଜୟପୁର ଟାଉନ୍‌ ଥାନା ପାରାବେଡ଼ାରେ ଘରଭଡ଼ା ନେଇ ରହୁଥିଲେ ଗଦାଧର ନାୟକ । ତାଙ୍କ ପୁଅ ଶିବାଶିଷ ସପ୍ତମ ଶ୍ରେଣୀରେ ପଢୁଥିଲେ । ତିନିଦିନ ତଳେ ପରୀକ୍ଷା ଦେଇ ଘରକୁ ଫେରି ମୃତ୍ୟୁପଥକୁ ବାଛି ନେଇଥିଲେ । ତା’ର ମୃତ୍ୟୁ ରହସ୍ୟ ଏବେ ସୁଦ୍ଧା ପୁଲିସ ଖୋଲିପାରିନି । ଶିବାଶିଷ ଦିନ ୧୨ଟାରୁ ଗୋଟାଏ ଭିତରେ ମରିଥିଲା ।

ଶିବାଶିଷର ମୃତ୍ୟୁଖବର ଶୁଣି ଭୁବନେଶ୍ୱରରେ ଚାକିରି କରୁଥିବା ଭଉଣୀ ରଶ୍ମିତା ଥୟ ଧରି ପାରିଲେନି । ଘରେ ପହଂଚିବା ପର୍ଯ୍ୟନ୍ତ ଭାଇର ମୃତଦେହକୁ ରଖିବା ପାଇଁ ବାପାଙ୍କୁ ନେହୁରା ହୋଇଥିଲେ ରଶ୍ମିତା । ମାତ୍ର ଭଡ଼ାଘରେ ରହୁଥିବାରୁ ଅସହାୟ ପ୍ରକାଶ କରିଥିଲେ ବାପା ଗଦାଧର । ଶୁକ୍ରବାର ରଶ୍ମିତା ଜୟପୁରସ୍ଥିତ ଘରେ ପହଂଚିଥିଲେ । ‘ସେ ଚାଲିଗଲା, ମୁଁ କାହିଁକି ରହିବି’ କହି କଇଁକଇଁ ହୋଇ କାନ୍ଦିଲେ । ଗଦାଧର ଗୋଡ଼ ଧୋଇବା ପାଇଁ ଘରଛାତ ଉପରକୁ ଯାଇ ଦେଖନ୍ତି ତ ଝିଅ ରଶ୍ମିତା ଝୁଲନ୍ତା ଅବସ୍ଥାରେ ରହିଛି । ପୁଲିସକୁ ଖବର ଦେଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଲା ।

ରଶ୍ମିତା ଆତ୍ମହତ୍ୟା କରିଛି କି ହତ୍ୟାର ଶିକାର ହୋଇଛି; ତାହା ସ୍ପଷ୍ଟ ହେବା ଦରକାର । କାରଣ ଶିବାଶିଷ ଯୋଉ ସମୟରେ ଯୋଉ ସ୍ଥାନରେ ପ୍ରାଣ ହରାଇଥିଲା । ସେହି ସ୍ଥାନରେ ରଶ୍ମିତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖାଯିବା ପଛରେ କିଛି ରହସ୍ୟ ଅଛି କି?