ବାପୁଙ୍କ ତିନିମାଙ୍କଡ଼ ଏବେ ଆମ ଭିତରେ

୫ ଲକ୍ଷ କୋଟି ଟଙ୍କା ପାଇଁ ଖାଇବା ତେଲକୁ ୧୬୦ ଟଙ୍କାରେ କିଣୁଛୁ

କାଳିଆ ଟଙ୍କା ପାଇ ‘ଆପଣମାନେ ଖୁସି ତ’ ଶୁଣି ଭାଗ୍ୟବାନ୍‌ ମଣୁଛୁ

‘ବାପୁ; ଆପଣଙ୍କ ତିନିମାଙ୍କଡ଼ ଏବେ ଆମ ସମସ୍ତଙ୍କ ଭିତରେ ଅଛନ୍ତି । ଆମେ ଖଟିଖିଆ ଗରିବ ଜନତା । ଭୋକର ଦାଉ ମେଂଟାଇବା ପାଇଁ ଯେତେବେଳେ ଯାହା ହାତରୁ ଯାହା ପାଉଛୁ, ତାକୁ ଈଶ୍ୱରଙ୍କ ମହାଦାନ ମଣୁଛୁ । ଦାତାର କଲ୍ୟାଣ କାମନା କରୁଛୁ । ନିର୍ବାଚନ ସମୟରେ ଭୋଟ ଖଣ୍ଡେ ଦେବାର ଅଧିକାର ପାଇଛୁ ।
ଓଡ଼ିଶାରେ ତିନୋଟି ଗୋଠ ରାଜୁତି କରୁଛନ୍ତି । ଗୋଟିଏ ୨୩ ବର୍ଷ ଧରି ଖାଉଛି, ଅନ୍ୟ ଦୁଇଟି ଗୋଠକୁ ଦୁଇପାଖରେ ବସାଇ ଖୁଆଉଛି । ଆମେ ସାଢେ଼ ଚାରିକୋଟି ମାଙ୍କଡ଼ ସେମାନଙ୍କ ନାଟ ଦେଖୁଛୁ । ଆମ ଭିତରୁ କିଛି ପାତି ଗାଡ଼ିରେ ବୁହା ହୋଇ ମହାମାଙ୍କଡ଼ ସମ୍ମିଳନୀକୁ ଯାଆନ୍ତି; ଭଲ କରି ବେଳାଏ ଭାତଡାଲି, ମଟନ୍‌ ଚିକେନ୍‌ କଷା ଖାଇ ଫେରନ୍ତି । ବେଶ କିଛିଦିନ ଚହଳ ପକାନ୍ତି । ବାପୁ; ଆପଣ ଯୋଉ ସ୍ୱାଧୀନତାର ଫଳ ତୋଳି ଆମକୁ ଦେଇଛନ୍ତି । ତା’ରି ବଳରେ ଆମେ କେବଳ ଭୋଟ ଦଉଛୁ । ଆଉ କିଛି କରିବାର ଅଧିକାର ଆମ ପାଖରେ ନାହିଁ । ଏଠି ପେଟ ପାଇଁ ରାସ୍ତାକଡ଼ରେ ପାନଦୋକାନ ଖଣ୍ଡେ କଲେ, ଭାଗ୍ୟବିଧାତାଙ୍କ ଅନୁମତି ଦରକାର । ଆମ ସ୍ୱାଧୀନତା କାଳିଆ ଟଙ୍କା, ଟଙ୍କାକରେ କିଲେ ଚାଉଳ ଭିତରେ ରହିଯାଇଛି ।

ମାତ୍ର ଆମେ ଯାହାକୁ ଭୋଟ ଦଉଛୁ । ସେମାନେ ଚଉଦପୁରୁଷ ପାଇଁ ଧନୀ ହୋଇଯାଉଛନ୍ତି । ଆପଣ ଧନୀ-ଗରିବ ଭିତରେ ବ୍ୟବଧାନ କମାଇବା ଉପରେ ଗୁରୁତ୍ୱ ଦେଇଥିଲେ । ମାତ୍ର ଏବେ ଧନୀ-ଗରିବ ବ୍ୟବଧାନ ଏତେ ବିସ୍ତାରିତ ହୋଇଛି ଯେ ଜଣେ ବିଦେଶରୁ ଦୁଇଲକ୍ଷ ଟଙ୍କାରେ କପେ ଚା’ କିଣି ତିନିଢେ଼ାକ ପିଇ ଫିଙ୍ଗି ଦେଉଥିଲା ବେଳେ ଜଣେ ଭୋକର ଦାଉ ମେଂଟାଇବା ପାଇଁ ଟଙ୍କିକିଆ ଚାଉଳକୁ ଆଶ୍ରା କରୁଛି । ଆମେ ଗଣତନ୍ତ୍ରର ଆଧୁନିକ କ୍ରୀତଦାସ ପାଲଟି ଯାଇଛୁ । କାଳିଆ ଟଙ୍କା ନଉଛୁ, ଟଙ୍କାକରେ କିଲେ ଚାଉଳ ପାଉଛୁ । ତା’ରି ଭିତରେ ସ୍ୱାଧୀନତା ଦେଖି ଆନନ୍ଦରେ ବଂଚିଛୁ ।
‘ସତ୍ୟ ଓ ଅହିଂସାର ପୂଜାରୀ ମୋହନଦାସ କରମଚାନ୍ଦ ଗାନ୍ଧୀ । ଆମର ପ୍ରିୟ ବାପୁ । ଆପଣଙ୍କ ପବିତ୍ର ଜନ୍ମଦିବସ ଆମେ ସମସ୍ତେ ପାଳନ କରିବାକୁ ଚାହୁଁଛୁ । ମାତ୍ର ଆମକୁ ରାସ୍ତା ଉପରେ ଶୋଭାଯାତ୍ରା କରିବା ପାଇଁ ଅନୁମତି ମିଳିବନି । ମାତ୍ର ଆମ ଭାଗ୍ୟବିଧାତାମାନେ ଆପଣଙ୍କ ଜନ୍ମଦିନରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ପଦଯାତ୍ରା କରୁଛନ୍ତି । ଶୋଭାଯାତ୍ରା କରୁଛନ୍ତି । ରାଜଘାଟରେ ମାଳା ଚଢ଼ାଉଛନ୍ତି ।

ଆମ ଅଧିକାର ଏବେ ମୁଷ୍ଟିମେୟ ସାମନ୍ତବାଦୀଙ୍କ ହାତରେ ବନ୍ଧା ପଡ଼ିଛି । ସେମାନେ ଯେତେବେଳେ ଚାହୁଁଛନ୍ତି ଆଳୁ କିଲୋ ୧୦୦ ଟଙ୍କା କରୁଛନ୍ତି । ପେଟ୍ରୋଲ ଲିଟର ୧୨୦ ଟଙ୍କା କରୁଛନ୍ତି । ରନ୍ଧନ ଗ୍ୟାସ୍‌ ସିଲିଣ୍ଡରକୁ ୧୪୦୦ ଟଙ୍କା କରୁଛନ୍ତି । ଖାଇବା ତେଲ ଲିଟରକୁ ୨୧୦ ଟଙ୍କା କରୁଛନ୍ତି । ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଟଙ୍କା ଦେଇ ଆମକୁ ହାରକିନି ଦେଖାଉଛନ୍ତି ।
ଆମ ଭିତରୁ ଜଣକୁ ରାଷ୍ଟ୍ରପତି ଆସନରେ ବସାଇ ସାଢେ଼ ଚାରିକୋଟି ଜନତାଙ୍କୁ ଉଦ୍ଧାର କରିଦେଲୁ ବୋଲି କହୁଛନ୍ତି । ସତରେ ବାପୁ; ୧୪୨ କୋଟି ଜନତାଙ୍କ ହାତରେ ଯେଉଁ ସମ୍ବିଧାନ ଧରାଇ ଦିଆଯାଇଛି; ତାହା ଦେଖିବାକୁ ଅତି ସୁନ୍ଦର; ପଢ଼ିବାକୁ ଶ୍ରୁତିମଧୁର । ମାତ୍ର ବାସ୍ତବ ଚେହେରା ଅତି କଦାକାର । ଆପଣଙ୍କର ଦୁଇଟି ଶକ୍ତିଶାଳୀ ଅସ୍ତ୍ର ସତ୍ୟ ଓ ଅହିଂସା ଏବେ ପୁସ୍ତକର ଦୁଇଟି ଶବ୍ଦ ମାତ୍ର । ଆମ ଭିତରୁ କେହି ସତ୍ୟ ଓ ଅହିଂସା ଶବ୍ଦ ଉଚ୍ଚାରଣ କଲେ; ତାକୁ ତଥାକଥିତ ଶିକ୍ଷିତ ସମାଜ ଉପହାସ କରୁଛନ୍ତି । ଏଠି ଶିକ୍ଷାକୁ ନେଇ ବ୍ୟବସାୟ ଚାଲିଛି । ସ୍ୱାସ୍ଥ୍ୟକୁ ନେଇ ବ୍ୟବସାୟ ଚାଲିଛି । ଜମି, ପାଣି, ଖଣିଖାଦାନ ଲୁଟିବା ପାଇଁ ହାତଗଣତି ବ୍ୟବସାୟୀ ଗୋଷ୍ଠୀକୁ ଅନୁମତି ଦିଆଯାଉଛି । ଆମକୁ ଭଲକରି ଲୁଟିବା ପାଇଁ ସେମାନଙ୍କୁ ଲାଇସେନ୍ସ ଦିଆଯାଉଛି ।
ଆଜିର ସମାଜରେ ସେହି ଲୋକକୁ ପ୍ରତିଷ୍ଠା ମିଳୁଛି ଯେ ଅନ୍ୟର ସମ୍ପତିକୁ ମାଡ଼ିବସି ଉପଭୋଗ କରିବାର ଦମ୍‌ ରଖିଛି । ୧୪୨ କୋଟି ଜନତାଙ୍କର ଭାଗ୍ୟବିଧାତା ବନିଯାଇଛନ୍ତି ଲୋକସଭାର ୩୩୩ ସାଂସଦ । ରାଜ୍ୟର ୪ କୋଟି ୨୦ ଲକ୍ଷ ଲୋକଙ୍କ ଭାଗ୍ୟ ନିୟନ୍ତ୍ରଣ କରୁଛନ୍ତି ୧୧୪ ବିଧାୟକ ।
ଆମ ଶାସନ କଥା କ’ଣ କହିବୁ । ରାତିରେ ଶେଯରେ ଗଡୁଥିଲେ ଆମ ପ୍ରଧାନମନ୍ତ୍ରୀ । ମନକୁ ଖିଆଲ ଆସିଲା; ରାତି ପାହିଲା ମାତ୍ରେ ଲୋକଙ୍କ ପାଖରେ ଥିବା ଟଙ୍କାଗୁଡ଼ିକୁ କାଗଜ କରିବାକୁ । ଫୋନ୍‌ ଘୁରାଇଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ । ରାତାରାତି ବିଜ୍ଞପ୍ତି ଜାରି ହୋଇଗଲା । ସକାଳକୁ ସବୁ ବ୍ୟାଙ୍କ ବନ୍ଦ; ଏଟିଏମ୍‌ ଅଚଳ । ଲୋକଙ୍କ ପକେଟ୍‌ରେ ଥିବା ଟଙ୍କାଗୁଡ଼ିକ ରଦି କାଗଜ ପାଲଟିଗଲା ।
ଆସନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ଯୋଜନାଗୁଡ଼ିକ ସଂପର୍କରେ କିଛି ନକହିଲେ, ଗଣତନ୍ତ୍ରଟା ପାଣିଚିଆ ଲାଗିବ । ରାଜଧାନୀର ଅଧିକାଂଶ ଛକ ନିକଟରେ ଦିଶୁଥିବା ‘ଜାଗା ମିଶନ’ ବୋଡର଼୍ଗୁଡ଼ିକ ନବୀନ ପଟ୍ଟନାୟକଙ୍କ ଐତିହାସିକ ପଦକ୍ଷେପକୁ ଗାଇଚାଲିଛି । କେତେ ବସ୍ତିବାସିନ୍ଦାଙ୍କୁ ଜାଗା ଦିଆଯାଇଛି; ତା’ର ହିସାବ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କୁ ଜଣାନାହିଁ । ମାତ୍ର ଐତିହାସିକ କହି ଦଳର କର୍ମୀମାନେ ଆତ୍ମସନ୍ତୋଷ ପାଉଛନ୍ତି ।

ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ ସ୍ୱାସ୍ଥ୍ୟସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରମାନ ଖୋଲାଯାଇଛି । ସେଠାରେ ଡାକ୍ତର ଅଭାବ, କମ୍ପାଉଣ୍ଡର ଅଭାବ, ନର୍ସ ଅଭାବ, ଔଷଧପତ୍ର ଅଭାବ ଥିଲେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାଡର଼୍ ଧରାଇ ଦେଇ ଐତିହାସିକ ରୋଗୀସେବା ବୋଲାଉଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଖାଇବା ତେଲ ଲିଟର ୧୪୦ ଟଙ୍କା, ଆପଣମାନେ ଖୁସି ତ?’, ‘ରୋଗୀଟିକୁ ଖଟିଆରେ ୩ କିଲୋମିଟର ପର୍ଯ୍ୟନ୍ତ ବୋହିବାର ଐତିହାସିକ ସୁଯୋଗ ଦେଲି, ଆପଣମାନେ ଖୁସି ତ?’ ଆମେ ଆଜ୍ଞା ବହୁତ ଖୁସି । ଆମ ଧନକୁ ଆପଣମାନେ ବିଦେଶରେ ସାଇତି ରଖିବେ । ଆମକୁ ପାଂଚବର୍ଷ ଧରି ଲୁଟିବେ, ନିର୍ବାଚନ ବେଳେ କାଳିଆ ଟଙ୍କା ଧରାଇ ଭାଗ୍ୟବିଧାତା ବନିଯିବେ । ସତରେ ଭାଗ୍ୟବିଧାତା । ଆମେମାନେ ବହୁତ ଖୁସି ।