ପେଟ୍ରୋଲ ଓ ଡିଜେଲ୍ ଉପରେ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ୍ ଉପରୁ ଗତକାଲି ଏକ୍ସାଇଜ ଡ୍ୟୁଟି ହ୍ରାସ ପରେ ରାଜ୍ୟଗୁଡିକ ଉପରେ ଭାଟ୍ କମାଇବା ପାଇଁ ଚାପ ବଢିଥିଲା । ଏହା ପରେ ଏନଡିଏ ଶାସିତ ରାଜ୍ୟଗୁଡିକ ପେଟ୍ରୋଲ ଓ ଡିଜେଲ୍ ଉପରେ ୭ ଟଙ୍କା ପର୍ଯ୍ୟନ୍ତ ଭା୍ଟ ହ୍ରାସ କରି ନିଜର ଜନତାଙ୍କୁ ଡବଲ୍ ଖୁସି ଦେଇଛନ୍ତି । ଏହି କ୍ରମରେ ଓଡିଶା ସରକାର ପେଟ୍ରୋଲ ଓ ଡିଜେଲ ଦରରେ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଗୁରୁବାର ନବୀନ ପଟ୍ଟନାୟକ ଏହାର ଘୋଷଣା କରିଛନ୍ତି । ନୂତନ ଦର ୫ ତାରିଖ ମଧ୍ୟ ରାତ୍ରରୁ ଲାଗୁ ହେବ । ଏହା ପୂର୍ବରୁ କେନ୍ଦ୍ର ସରକାର ବୁଧବାର ପେଟ୍ରୋଲ ଦରରେ ଉତ୍ପାଦ ଶୁଳ୍କ ୫ ଟଙ୍କା ଏବଂ ଡିଜେଲ୍ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମ କରିଥିଲେ । ଏବେ ରାଜ୍ୟ ସରକାର ୩ ଟଙ୍କା ଭାଟ୍ କମାଇବା ପରେ ଓଡିଶାରେ ପେଟ୍ରୋଲ ୮ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି ୧୩ ଟଙ୍କା ଶସ୍ତା ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ୍ସାଇଜ ଓ ଭାଟ୍ ହ୍ରାସ ପରେ ସାଧାରଣ ଜନତାଙ୍କୁ କିଛିଟା ଆଶ୍ୱସ୍ତି ମିଳିବାକୁ ଯାଉଛି ।