ଶୀତୁଆ ରାତିରେ ଝୁମିବ ସାରା ଓଡିଶା, ଆଜି ଠାରୁ ଆରମ୍ଭ ଶିଶିର ସରସ ମେଳା

ଦର୍ଶକ ମାନଙ୍କୁ ସବୁ କିଛି ମଜାର ଆସର ଯୋଗେଇ ଦେବାପାଇଁ….

ଭୁବନେଶ୍ୱର: ହକି ବିଶ୍ୱକପ ସହିତ ରାଜଧାନୀରେ ଭଳିକି ଭଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ତେବେ ଦର୍ଶକ ମାନଙ୍କୁ ସବୁ କିଛି ମଜାର ଆସର ଯୋଗେଇ ଦେବାପାଇଁ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଶିଶିର ସରସ ମେଳା । ଯେଉଁଠି କି ଓଡ଼ିଆ କଳାକାରଙ୍କ ଜଲୱା ଦେଖିବାକୁ ମିଳିବ । ଗୀତ ଠାରୁ ଆରମ୍ଭ କରି ନାଚ ପର୍ଯ୍ୟନ୍ତ ସବୁ କିଛି ଆରମ୍ଭ ହେବାକୁ ଯାଉଛି । ପାରମ୍ପରିକ ଲୋକକଳାରୁ ଆରମ୍ଭ କରି ଆଧୁନିକ ନାଚର ମିଶ୍ରଣ ଦେଖିବାକୁ ମିଳିବ । ଜାତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଶିଶିର ସରସ -୨୦୨୩ ଆସନ୍ତା ୨୯ ତାରିଖ ଯାଏଁ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଚାଲିବାକୁ ଥିବା ଏହି ମେଳାକୁ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଏହି ମେଳାର ସ୍ଵତନ୍ତ୍ର ଆକର୍ଷଣ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଆଉ ଏହା ସହ ଭଳି କି ଭଳି ସୁସ୍ୱାଦୁ ଭୋଜନର ଦୋକାନ । ପ୍ରତି ସନ୍ଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଲୋକ ମାନେ ଖାଇବେ , ବୁଲିବେ ଆଉ ଝୁମିବେ ।

ସୂଚନାମୁତାବକ ୧୫ରେ ତାନ୍‌ସେନ୍ ସିଂ, ନାଜିଆ ଆଲାମ୍ ଓ ଅନ୍ୟମାନଙ୍କ ଦ୍ବାରା ଓଡ଼ିଆ ମେଲୋଡି, ୧୬ରେ ରଣପା, ଯୋଡ଼ି ଶଙ୍ଖ, ପଶୁ ନୃତ୍ୟ, ୧୭ରେ ଗୋଟିପୁଅ ନୃତ୍ୟ, ୧୮ରେ ସୁବାସ ଦାସ, ଶୈଳଭମା ଓ ଅନ୍ୟମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା, ୧୯ରେ ଛଉ ନୃତ୍ୟ, ଘୁମୁରା ବାଦ୍ୟ ନୃତ୍ୟ, ୨୦ରେ ସମ୍ବଲପୁର ଟ୍ରାଇବାଲ୍ ଆଣ୍ଡ୍ ଫୋକ୍ଆର୍ଟ ସେଣ୍ଟରର ସମ୍ବଲପୁରୀ ନାଇଟ୍ସ, ୨୧ରେ ୪ଟି ଅନୁଷ୍ଠାନ ଦ୍ଵାରା ଫ୍ୟାଶନ୍ ଶୋ’, ୨୨ରେ ଋତୁରାଜ ମହାନ୍ତି ଓ ସାଥୀଙ୍କ ଷ୍ଟାର୍ ନାଇଟ୍, ୨୩ରେ ସେବାଶ୍ରମ ସ୍କୁଲ ଦ୍ୱାରା ଦେଶାତ୍ମବୋଧକ କାର୍ଯ୍ୟକ୍ରମ, ୨୪ରେ ସୁସ୍ମିତା ଦାସଓ ସାଥୀଙ୍କ ସଙ୍ଗୀତ ପରିବେଷଣ, ୨୫ରେ ଅସୀମା ପଣ୍ଡା ଓ ସାଥୀ, ସ୍ବୟମ୍ ପାଢ଼ୀଙ୍କ ଓଡ଼ିଆ ଓ ହିନ୍ଦୀ ଗୀତକୁ ନେଇ ମେଲୋଡି ନାଇଟ୍ସ ସହ ଲେଜର୍ ଶୋ’, ୨୬ରେ ସୁନୀଲ ପରିଡ଼ା, କିଶୋର ସାହୁ, ଶୁଭାଶିଷ ମହାକୁଡ ଟିମ୍‌ଙ୍କ ହିନ୍ଦୀ ମେଲୋଡି ନାଇଟ୍ସ, ୨୭ରେ ଆଦ୍ୟାଶା ଦାସ, ବାବୁ ପାଣିଗ୍ରାହୀ ଓ ମହମ୍ମଦ ଆବିଦଙ୍କ ଗଜଲ ନାଇଟ୍ସ, ୨୮ରେ ଷ୍ଟାର୍ ସତ୍ୟଜିତ୍ ଜେନା, ଶୁଭଶ୍ରୀ ଜେନା ଓ ଟିମ୍‌ଙ୍କ ଷ୍ଟାର୍ ନାଇଟ୍‌, ୨୯ ତଥା ଉଦ୍‌ଯାପନୀ ଉତ୍ସବରେ ଟିମ୍ ଭିଗ୍‌ନାଞ୍ଜ ଦ୍ଵାରା ଲାଇଭ୍ ବ୍ୟାଣ୍ଡ୍ ପ୍ରଦର୍ଶିତ ହେବ।