ବାପା ଛେଉଣ୍ଡ , ମାଁ ପାଗଳି , ଭାଇଭଉଣୀଙ୍କ ର କରୁଣ କାହାଣୀ

ବରଗଡ,(ଏସ୍‌ ନ୍ୟୁଜ): ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଭେଉଁରିଆ ପଞ୍ଚାୟତ ବୁଧାପାଲି ଗ୍ରାମରେ ଏକ ଆଦିବାସୀ ପରିବାର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ଶ୍ଯାମ ସୁନ୍ଦର ନେଗୀ ଆଜକୁ ୫ବର୍ଷ ହେଲାଣି କୌଣସି ରୋଗ ଗ୍ରସ୍ତରେ ପୀଡିତ ହୋଇ ମୃତ୍ଯୁ ବରଣ କରିଛନ୍ତି । ସ୍ବାମୀଙ୍କ ର ମୃତ୍ଯୁ ପରେ ପତ୍ନୀ ଉମା ନେଗୀ ତାଙ୍କ ସ୍ବାମୀଙ୍କୁ ଝୁରିଝୁରି ପାଗଳି ହୋଇ ତାଙ୍କ ମାଁ ଘର କୁଦୋଗୁଡା ରେ ରହୁଛନ୍ତି । ହେଲେ ପରିତାପର ବିଷୟ ତାଙ୍କର ଗୋଟିଏ ପୁଅ ରାହୁଲ ନେଗୀ ଓ ଝିଅ ପୂଜା ନେଗୀ ବେସାହାରା ହୋଇ ତାଙ୍କ ବଡ ମାଁ ଘରେ ଆଶ୍ରୟ ନେଇଛନ୍ତି । ଅନେ ଘରେ ଆଶ୍ରୟ ନେଇ ଦୟା ପରବଶ ହୋଇ କେତେବେଳେ ଖାଇବାକୁ ପାଉଛନ୍ତି ତ କେତେବେଳେ ଭୋକ ଉପାସ ରେ ଦିନ କାଟୁଛନ୍ତି । ଆହା କହିବାକୁ କହି ନାହାନ୍ତି । ତାଙ୍କୁ ଏହି ବାଲ୍ଯା ବସ୍ଥାରେ ଠିକ ଭାବରେ ଦେଖାଶୁଣା ତଥା ଲାଳନପାଳନ କରିବାକୁ କେହି ନାହିଁ । ଝିଅ ପୂଜା ନବମ ଶ୍ରେଣୀରେ ଓ ପୁଅ ରାହୁଲ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ବାପା ଜୀବିତ ଅବସ୍ଥାରେ ଥିଲା ସମୟରେ ଘର ଖଣ୍ଡିଏ ଥିଲା ତାହା ସଂପୂର୍ଣ୍ଣ ଭାବେ ଭାଙ୍ଗି ଉଜୁଡି ଗଲାଣି । ରହିବା ପାଇଁ ଘର ଖଣ୍ଡିଏ ମଧ୍ଯ ନାହିଁ । ପର ଦାଣ୍ଡ ପିଣ୍ଡାରେ ଦିନ କାଟୁଛନ୍ତି ଏହି ଦୁଇ ଭାଇ ରାହୁଲ ନେଗୀ ଓ ଭଉଣୀ ପୂଜା ନେଗୀ । ଏହି କରୁଣ କାହାଣୀ ପ୍ରତି ଦୃଷ୍ଟି ଦେଇ ବ୍ଲକ ଓ ଜିଲ୍ଲା ପ୍ରଶାସନ ସଦୟ ହୋଇ ଭାଇ ଭଉଣୀଙ୍କ ର ଉଚିତ ଥଇଥାନ କରନ୍ତେ ତାଙ୍କର ଭବିଷ୍ଯତ ଉଜ୍ଜ୍ବଳ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।