ସମଗ୍ର ବିଶ୍ବ ଦେଖୀବ ବିଜୁ ବାବୁଙ୍କ ବୀରତ୍ୱ କାହାଣୀ

ଭୁବନେଶ୍ୱର: ସମଗ୍ର ବିଶ୍ବ ଦେଖୀବ ବିଜୁ ବାବୁଙ୍କ ବୀରତ୍ୱ କାହାଣୀ । ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରସ୍ତୁତ ହେଉଛି ଏକ ନିଃଶୁଳ୍କ ମୋବାଇଲ୍ ଖେଳ ଆପ୍ଲିକେସନ୍ ‘ଭୂମିପୁତ୍ର’ । ଏହାର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ଥିବା ବେଳେ ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ଅବସରରେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ବୀଜୁ ବାବୁ କିପରି ନିଜର ଡାକୋଟା ବିମାନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣୋ ଏବଂ ପ୍ରଧାନମନ୍ତ୍ରୀ ସୁତନ୍ ସାହାରିର୍‌ଙ୍କୁ ଶତ୍ରୁଙ୍କ କବଳରୁ ରକ୍ଷା କରିଥିଲେ ତାହା ଏହି ଆପ୍‌ ଜରିଆରେ ସମସ୍ତେ ହୃଦବୋଧ କରିବାର ସୁଯୋଗ ପାଇବେ। ଓଡ଼ିଆ ଭାଷାରେ ଏହି ଆପ୍ ଉପଲବ୍ଧ ହେବ। ଏହି ଗେମ୍ ଆପରେ ଜାକର୍ତ୍ତା କଲିଂ, ବାଲିଯାତ୍ରା ଓ ଭୂମିପୁତ୍ର ଭଳି । ତିନିଟି ପର୍ଯ୍ୟାୟରେ ଗେମ୍ ରହିଛି ।

ଏଥରେ ବିଜୁ ବାବୁଙ୍କ ସ୍ଵର ମଧ୍ୟ ଶୁଣିବାକୁ ପଡିବ । ଓଡ଼ିଶାର କିଛି ପ୍ରତିଭାବାନ୍ ଇଞ୍ଜିନିୟରିଂ ଛାତ୍ର ମିଳିତ ଭାବେ ଆପ୍ ପ୍ରସ୍ତୁତ କରିଛନ୍ତି। ସମସ୍ତେ ମାଗଣାରେ ଏହି ଆପ୍ ବ୍ୟବହାର କରି ଗେମ୍ ଖେଳି ପାରିବେ। ଏହା ଉଭୟ କମ୍ପ୍ୟୁଟର, ଲ୍ୟାପଟପ୍ ଏବଂ ସ୍ମାର୍ଟଫୋନ୍‌ରେ – ବ୍ୟବହାର କରାଯାଇ ପାରିବ। ଗୌରବ-ଗୋ ଡଟ୍ କମ୍‌ରେ ଉପଲବ୍ଧ ହେବ। ଗୁରୁତ୍ଵପୂର୍ଣ୍ଣ କଥା ହେଲ ଆପ୍ ପ୍ରସ୍ତୁତକର୍ତ୍ତାଙ୍କ ମଧ୍ୟରେ ଓଡ଼ିଆ ଏବଂ ଅଣ ଓଡ଼ିଆ ଛାତ୍ର ସାମିଲ ଅଛନ୍ତି। ସେମାନେ କହିଛନ୍ତି ଯେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଏକ ଗେମିଂ ଆପ୍ ପ୍ରସ୍ତୁତ କରିବା ପାଇଁ ଆମେ ଚିନ୍ତା କରିଥିଲୁ।

ତେବେ କାହା ଉପରେ ଏହି ଆପ ଆଧାରିତ ହେବ ତାକୁ ନେଇ ବିଚାର ବିମର୍ଷ ଚାଲିଥିଲା। ଶେଷରେ ପ୍ରବାଦ ପୁରୁଷ ବିଜୁ ବାବୁ ହିଁ ଏଥିପାଇଁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ବିଜୁ ବାବୁଙ୍କର ଗୌରବମୟ ଇତିହାସ, ଅସୀମ ବୀରତ୍ୱ ହିଁ ତାଙ୍କୁ ସମସ୍ତଙ୍କ ଠାରୁ ଶୀର୍ଷରେ ରଖୁଛି । ତାଙ୍କ ଠାରୁ ଆଉ କେହି ଶ୍ରେଷ୍ଠ ଚରିତ୍ର ଆମକୁ ମିଳିନଥିଲେ। ଏହି ଆପ୍ କେବଳ କ୍ରୀଡ଼ାର ଆନନ୍ଦ ଦେବ ନାହିଁ ବରଂ ଓଡ଼ିଶା ମାଟିର ଜଣେ ବୀର ପୁତ୍ରର ଇତିହାସକୁ ଉଜାଗର କରିବ। ପିଲାମାନେ ଗେମ୍ ଖେଳିବା ସହ ନିଜ ରାଜ୍ୟର ପ୍ରବାଦ ପୁରୁଷ ବିଜୁ ବାବୁ ଏବଂ ରାଜ୍ୟର ଗୌରବମୟ ଇତିହାସର ନିକଟତର ହେବାର ସୁଯୋଗ ପାଇବେ ବୋଲି ଆପ୍ ପ୍ରସ୍ତୁତକର୍ତ୍ତା କହିଛନ୍ତି।